ଘରେ ପଶି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ, ହତ୍ୟା ଧମକ

ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଶ୍ରଦ୍ଧାକର ସନୁଏନଙ୍କୁ ବନଡେଗାର ନଜମୁଲ ହକ୍‌ ନାମକ ଜଣେ ବ୍ୟକ୍ତି ଘରେ ପଶି ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଜଣେ ଲୋକପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଶ୍ରୀ ସନୁଏନ ତଳସରା ଥାନାରେ ନଜମୁଲ ନାମରେ ଏତଲା ଦେଇଛନ୍ତି। ପୁଲିସ ୨୯୪, ୩୨୩, ୫୦୫ ଓ ଅନୁସୂଚୀତ ଜାତି/ଜନଜାତି ସୁରକ୍ଷା ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ତେବେ ଟଙ୍କା ଦିଆନିଆକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏତଲା ଅନୁସାରେ, ୧୭ ତାରିଖ ସକାଳ ୧୦ଟା ୧୫ରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସନୁଏନ ପୁଗ୍ରାମୁଣ୍ଡାସ୍ଥିତ ନିଜ ଘରେ ପରିବାର ସଦସ୍ୟଙ୍କ ସହ ବସିଥିବା ବେଳେ ବନଡେଗାର ନଜମୁଲ ହକ୍‌ ଘର ଭିତରକୁ ହଠାତ ପଶି ଆସି ପୂର୍ବରୁ ପକାଇଥିବା ବାଲି ଭଡ଼ା ଟଙ୍କା ମାଗିଥିଲେ। ମୁଁ ଟଙ୍କା ହିସାବ କରୁଥିବା ବେଳେ ବାପା ଆସି ନଜମୁଲଙ୍କୁ ପୂର୍ବରୁ ୬ ହଜାର ଟଙ୍କା ନେଇ ଫେରାଇ ନଥିବା କଥା ମନେ ପକାଇଦେଲେ। ଏହା ପରେ ଶ୍ରଦ୍ଧାକର ସେ ଟଙ୍କା ଦିଅ ବୋଲି କହିଥିଲେ। ଏତିକିରେ ସେ ରାଗିଯାଇ ଶ୍ରଦ୍ଧାକରଙ୍କୁ ଧକ୍କା ମରି ତଳେ ପକାଇ ଦେବା ସହ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏପରିକି ସେ ଗଲା ବେଳେ ମୋର କିଛି ହେବ ନାହିଁ ବୋଲି କହିଯାଇଥିବା ଶ୍ରୀ ସନୁଏନ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସମ୍ବନ୍ଧିତ ଖବର