ପଟାଙ୍ଗି : ଓଡ଼ିଶାରେ ଅନୁପ୍ରବେଶ କରି ପୁଣି ଅପଦସ୍ଥ ହୋଇଛନ୍ତି ଆନ୍ଧ୍ର ଅଧିକାରୀ। ଏଥର ଆନ୍ଧ୍ର ଅଧିକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି ଓଡ଼ିଶାର ଜଣେ ଆଦିବାସୀ ମହିଳା ଜନପ୍ରତିନିଧି।
ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଆନ୍ଧ୍ର ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଦଳ ଓଡ଼ିଶା ଭିତରେ ପଶିଥିଲେ। ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଡର ଗାଁରେ ଡେରା ପକାଇଥିଲେ। ବୈଷୟିକ ଟିମ୍ ସହାୟତାରେ କିଛି ସ୍ଥାନରୁ ମାଟି ନମୁନା ସଂଗ୍ରହ କରୁଥିଲେ। ଯାହାକୁ ସେମାନେ ପରୀକ୍ଷା କରିବାକୁ ନିଜ ରାଜ୍ୟର ପରୀକ୍ଷାଗାରକୁ ପଠାଇଥାନ୍ତେ। କିନ୍ତୁ ଆନ୍ଧ୍ରର ଅନୁପ୍ରବେଶ ନେଇ ପଟାଙ୍ଗିର ନିର୍ଦଳୀୟ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲଙ୍କ ନିକଟରେ ପହଞ୍ଚିଗଲା। ତୁରନ୍ତ ଗାଲିଗାବଡ଼ର ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଏହାକୁ ହାଲକା ଭାବେ ନେଇଥିଲେ ଆନ୍ଧ୍ର ଅଧିକାରୀ। ତେବେ ଟିକାଇ ଯେଉଁ ଭଳି ଭାବେ ନିଜ ରାଜ୍ୟର ସ୍ବାର୍ଥ ପାଇଁ ଯୁକ୍ତି ରଖିଲେ ତାହାର କୌଣସି ଉତ୍ତର ଆନ୍ଧ୍ର ଅଧିକାରୀଙ୍କ ନିକଟରେ ନଥିଲା। ଶେଷରେ ବାଧ୍ୟ ହୋଇ ଯେଉଁ ରାସ୍ତାରେ ଆସିଥିଲେ ସେହି ରାସ୍ତାରେ ଆନ୍ଧ୍ର ଅଧିକାରୀ ଚାଲି ଯାଇଥିଲେ।
ଓଡ଼ିଶା ଭିତରେ ପଶି ଆନ୍ଧ୍ର ଅଧିକାରୀ କେଉଁ ଉଦ୍ଦେଶ୍ୟରେ ମାଟି ନମୁନା ସଂଗ୍ରହ କରୁଥିଲେ ସ୍ପଷ୍ଟ ହୋଇପାରିନି। ନିଜ ରାଜ୍ୟର କୌଣସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି। ଗତ ଦିନରେ ଡୋଲିଆମ୍ବ, ମାଡ଼କାର, ଫାଟୁସିନେରୀ ଓ ଫଗୁଣସିନେରୀ ଅଞ୍ଚଳରେ ଆନ୍ଧ୍ର ଏଭଳି ଅନୁପ୍ରବେଶ କରିଛି। କୋଟିଆ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାରୁ ଅଯଥା ବିବାଦରୁ ଦୂରେଇ ରହିବାକୁ ନୂଆ ଷଡ଼୍ଯନ୍ତ୍ର କରିଥିବା ଜଣାପଡ଼ିଛି। ତେଣୁ ନୂଆଗାଁ ପଞ୍ଚାୟତରେ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଛି। ଉପରୋକ୍ତ ଘଟଣା ସେହି ଷଡ଼୍ଯନ୍ତ୍ରର ଗୋଟିଏ ନମୁନା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆନ୍ଧ୍ରର ଅନୁପ୍ରବେଶ ସଂପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନାହିଁ।