ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ତାଲା ପକାଇଲେ ଜିଲ୍ଲା ପରିଷଦ ସଦସ୍ୟା

ପାଟଣା : ଏକ କାମର ବିଲ କରିବାରେ ବିଳମ୍ବ ହେବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପସି ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ପାଟଣା ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ମୋନାଲିଶା ଚକ୍ର ଓ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ନିର୍ମଳ କୁମାର ମହାନ୍ତଙ୍କୁ ତାଲା ପକାଇ ଦେଇଥିଲେ ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର। ଦୀର୍ଘ ୨ ଘଣ୍ଟା ଉଭୟ ପଞ୍ଚାୟତ କାର୍ଯ୍ୟାଳ‌ୟରେ ଫସି ରହିଥିଲେ। ପୁଲିସ ପହଞ୍ଚି ତାଲା ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପରିଷଦ ଫଣ୍ଡର ୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ କାମ ଖୁଣ୍ଟାପଡା ଗ୍ରାମରେ ଠାକୁରାଣୀ ଶାଳର କରାଯାଇଥିଲା। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୨ ମାସ ପରେ ମଧ୍ୟ ବିଲ କରାଯାଉ ନଥିଲା। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଦିନ ଗଡ଼ାଇ ଚାଲିଥିଲେ। ତାଙ୍କୁ ବିଲ ଦେବାରେ ହଇରାଣହରକତ କରିବାରୁ ସେ ଅତିିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ଘଟଣା ସ୍ଥଳରେ ପାଟଣା ବ୍ଲକ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତ ପହଞ୍ଚି ତାଲା ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର