ଆଜି ବଛାହେବେ ଜିଲ୍ଲା ପରିଷଦ ସଭାପତି

ଭୁବନେଶ୍ବର : ରବିବାର ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ହେବ। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ସେପଟେ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ ପାଇଁ ବିଜେଡି ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। କେବଳ ଅପେକ୍ଷା‌ ଆନୁଷ୍ଠାନିକ ଘୋଷଣାକୁ। ତେବେ କିଛି ସ୍ଥାନରେ ଦଳର ବିଦ୍ରୋହୀ ପ୍ରାର୍ଥୀ କଣ୍ଟା ସାଜିଛନ୍ତି। ଜିଲ୍ଲାର ସବୁ ବିଧାୟକ ଗୋଟିଏ ପ୍ରାର୍ଥୀଙ୍କ ନାମରେ ସହମତ ହୋଇପାରୁନଥିବାରୁ ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି କିଛି ବିଧାୟକ ଦଳର କ୍ଷମତାଶାଳୀ ନେତାଙ୍କ ଶରଣ ପଶିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାହାକୁ ସଭାପତି କରାଯିବ ତାଙ୍କ ନାମ ଇତିମଧ୍ୟରେ ଚୂଡ଼ାନ୍ତ କରିସାରିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ କରାଯିବ ଓ ପରେପରେ ଗଣତି କରି ଫଳାଫଳ ପ୍ରକାଶ କରାଯିବ। ମାର୍ଚ୍ଚ ୨୩ରେ ବ୍ଲକ ଉପାଧ୍ୟକ୍ଷ ଏବଂ ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର