ସମ୍ବଲପୁର: ବିଜେଡିକୁ ଘାରିଛି ଏବେ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଚିନ୍ତା। ଆସନ୍ତା ୧୩ ମାର୍ଚ୍ଚରେ ହେବାକୁ ଥିବା ଜିଲ୍ଲା ପରିଷଦ ସଭାପତି ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ବିଚାର ମନ୍ଥନ।
ସମ୍ବଲପୁର ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଏଥର ୫୦ ପ୍ରତିଶତ ଅର୍ଥାତ ୯ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ରାଜ୍ୟର ଶାସକ ଦଳ ବିଜେଡି ତୁଳନାରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ କିନ୍ତୁ ଅଧିକ ସଂଖ୍ୟକ ମହିଳାଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ତେବେ, ମହିଳାଙ୍କ ପାଇଁ ସଂରକ୍ଷିତ ୯ ଜୋନ୍ରୁ ବିଜେଡିର ସମସ୍ତ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଏଥର ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଏଭଳି ସ୍ଥିତିରେ ବିଜେଡି କାହାକୁ ଜିଲ୍ଲା ପରିଷଦ ସଭାପତି କରିବ, ତାହାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ୩ଟି ଗ୍ରାମାଂଚଳ ବିଧାନସଭା କ୍ଷେତ୍ର ମଧ୍ୟରୁ ରେଂଗାଲି, କୁଚିଣ୍ଡା ଏବଂ ରେଢ଼ାଖୋଲର ୧୮ଟି ଜିଲ୍ଲା ପରିଷଦ ଜୋନ୍ରୁ ବିଜେଡି ଏଥର ୧୬ଟି ଆସନ ଅକ୍ତିଆର କରିଛି। ଏଥିରୁ ରେଂଗାଲି ଓ କୁଚିଣ୍ଡା ବିଧାନସଭା କ୍ଷେତ୍ରରୁ ୧୦ଟି ଏବଂ ରେଢ଼ାଖୋଲରୁ କେବଳ ୬ଟି ଜିଲ୍ଲା ପରିଷଦ ଆସନ ରହିଛି। ରେଂଗାଲି ବିଧାନସଭା କ୍ଷେତ୍ରର ସମସ୍ତ ୫ଟି ଜୋନ୍ରୁ ବିଜେଡି ଜିତିଥିବା ବେଳେ କୁଚିଣ୍ଡାର ୬ଟି ଜୋନ୍ରୁ ୫ଟି ଜୋନ୍ରୁ ବିଜେଡି ବିଜୟୀ ହୋଇଛି।
ତେବେ, ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରୁ ବିଜେଡି ସର୍ବାଧିକ ୭ରୁ ୬ଟି ଆସନ ଅକ୍ତିଆର କରିଛି। କେବଳ ସେତିକି ନୁହେଁ, ନିର୍ବାଚନ ଜିତିଥିବା ଏହି ୯ ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ରେଢ଼ାଖୋଲ ଆସନର ସଂଖ୍ୟା ମଧ୍ୟ ଅଧିକ ରହିଛି।
ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଜୋନ୍-୧ରୁ ଶ୍ରାବଣୀ ଭୋଇ, ନାକଟିଦେଉଳ ଜୋନ୍-୧ରୁ ପ୍ରିୟମ୍ବଦା ସାହୁ, ଯୁଯୁମୁରା ଜୋନ୍-୧ରୁ କବିତା ସାହୁ, ମାନେଶ୍ବର ଜୋନ୍-୨ରୁ ଗୀତାଂଜଳି ପାଣ୍ଡେ, ନାକଟିଦେଉଳ ଜୋନ୍-୨ରୁ ଟିକେଶ୍ବରୀ ମେହେର, କୁଚିଣ୍ଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜମନକିରା ଜୋନ୍-୧ରୁ ସୁଜାତା ଖୁଣ୍ଟିଆ, ଜମନକିରା ଜୋନ୍-୨ରୁ ତନୟା ଧରୁଆ ଏବଂ ରେଂଗାଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ରେଂଗାଲି ଜୋନ୍-୧ରୁ ଚୋଳଶ୍ରୀ ମହାନନ୍ଦ ବିଜୟୀ ହୋଇଛନ୍ତି। ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ଏମାନଙ୍କ ମଧ୍ୟରୁ କୁମୁଦିନୀ ନାୟକ ଦ୍ବିତୀୟ ଥର ପାଇଁ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଗତ ୨୦୧୭ ମସିହା ନିର୍ବାଚନରେ ବାମରା ଜୋନ୍-୧ରୁ ନିର୍ବାଚିତ ହୋଇଥିବା ବେଳେ ଏଥର ବାମରା ଜୋନ୍-୨ରୁ ସେ ପୁଣି ନିର୍ବାଚନ ଜିତିଛନ୍ତି। ସେହିପରି ତନୟା ଧରୁଆ କ୍ରମାଗତ ଗତ ଦୁଇଟି ନିର୍ବାଚନରେ ଢୁଡ଼ିପାଲି ପଞ୍ଚାୟତରୁ ସରପଞ୍ଚ ଜିତିଥିବା ବେଳେ ଏଥର ପୁଣି ଜିଲ୍ଲା ପରିଷଦକୁ ଯାଇଛନ୍ତି।
ସରପଞ୍ଚ ଥିବା ସମୟରେ କୋଭିଡ ପରିଚାଳନା ପାଇଁ ସେ ପୁରସ୍କୃତ ବି ହୋଇଛନ୍ତି। ସେହିପରି ପ୍ରିୟମ୍ବଦା ସାହୁ ସରାପାଲି ପଞ୍ଚାୟତରୁ ଥରେ ସମିତି ସଭ୍ୟ ଓ ଥରେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ତାଙ୍କର ହେଉଛି କ୍ରମାଗତ ତୃତୀୟ ବିଜୟ। ଅନ୍ୟମାନେ ପ୍ରାୟତଃ ସମସ୍ତେ ନିର୍ବାଚନ ରାଜନୀତିରେ ନବାଗତା। ତେବେ, କବିତା ସାହୁ ସ୍ବାମୀ ଏହା ପୂର୍ବରୁ ଯୁଯୁମରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ନବାଗତା ହେଲେ ବି ଚୋଳଶ୍ରୀ ମହାନନ୍ଦ ଜିଲ୍ଲାର ଅନ୍ୟମାନଙ୍କଠାରୁ ସର୍ବାଧିକ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି। ସେ ୨୧,୫୨୬ ଖଣ୍ଡ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମାତ୍ର ୬୨୧୨ ଖଣ୍ଡ ଭୋଟ ପାଇଛନ୍ତି। ତେବେ, ୯ ଜଣ ଯାକ ସମସ୍ତେ ଶିକ୍ଷିତ। ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ ସ୍ନାତକୋତ୍ତର ମଧ୍ୟରେ ରହିଛି।
ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଦେଖିଲେ ସ୍ନାତକୋତ୍ତର ଡିଗ୍ରି ଲାଭ କରିଥିବା ଜମନକିରା ଜୋନ୍-୧ରୁ ନିର୍ବାଚନ ଜିତିଥିବା ସୁଜାତା ଖୁଣ୍ଟିଆ ସମସ୍ତଙ୍କ ଆଗରେ ରହିବେ। ସେ କିଛି ବର୍ଷ ଶିକ୍ଷକତା ମଧ୍ୟ କରୁଥିଲେ। ଏଭଳି ସ୍ଥିତିରେ କାହାକୁ ଜିଲ୍ଲା ପରିଷଦ ସଭାପତି କରାଯିବ, ତାହାକୁ ନେଇ ବିଜେଡି ଚିନ୍ତାରେ ରହିଛି। ତେବେ, ଏମାନଙ୍କ ମଧ୍ୟରୁ ଯିଏ ସବୁନେତାଙ୍କ ପାଇଁ ଗ୍ରହଣୀୟ ହେବେ, ତାଙ୍କୁ ସଭାପତି କରାଯିବାର ସମ୍ଭାବନା ଅଧିକ ରହିଛି।