ଚୂଡ଼ାନ୍ତ ହୋଇପାରିଲାନି ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା: ତାରିଖ ଗଲା, ନିର୍ବାଚନ କମିସନ୍ ପାଇଲେନି ତାଲିକା

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ପଞ୍ଚାୟତିରାଜ ବିଭାଗ ଧାର୍ଯ୍ୟ କରିଥିଲା। କିନ୍ତୁ ଏହି ସମୟସୀମା ମଧ୍ୟରେ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ଜିଲ୍ଲା ପରିଷଦ ସଭାପତି ଓ ସଦସ୍ୟ ସଂରକ୍ଷଣ ତାଲିକା ଏ ଯାଏ ନିର୍ବାଚନ କମିସନ୍‌ଙ୍କ ହସ୍ତଗତ ହୋଇପାରି ନାହିଁ। ବିଳମ୍ବ କାହିଁକି ହୋଇଛି ଓ କେବେ ହସ୍ତାନ୍ତର ହେବ, ତାହାର ଉତ୍ତର କାହା ପାଖରେ ନାହିଁ।

ଗତ ଅକ୍ଟୋବର ୮ ତାରିଖରେ ଜିଲ୍ଲାପାଳମାନେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ସହ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ। ଏହା ଉପରେ ଲୋକମାନଙ୍କ ଅଭିଯୋଗ/ପ୍ରସ୍ତାବ ମଗାଯାଇଥିଲା। ଜିଲ୍ଲାପାଳମାନେ ୨୨ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେଲା ପରେ ଏହି ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲେ। ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେବା ସହ ଚୂଡ଼ାନ୍ତ ତାଲିକା ୩୦ ତାରିଖରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଦେବାକୁ ସ୍ଥିର ହୋଇଥିଲା।

ସେହିପରି ଗତ ଅକ୍ଟୋବର ୧୬ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସଭାପତି ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏହା ଉପରେ ଲୋକମାନଙ୍କ ଅଭିଯୋଗ/ପ୍ରସ୍ତାବ ମଗାଯାଇଥିଲା। ଏଥି ପାଇଁ ଶେଷ ତାରିଖ ଥିଲା ଅକ୍ଟୋବର ୨୫। ବିଭାଗର ବିଜ୍ଞପ୍ତି ଅନୁଯାୟୀ ଲୋକଙ୍କ ଅଭିଯୋଗ/ପ୍ରସ୍ତାବ ଉପରେ ଆବଶ୍ୟକ ତର୍ଜମା କଲା ପରେ ୨୬ ତାରିଖରେ ସରକାର ଚୂଡ଼ାନ୍ତ ତାଲିକା ପ୍ରକାଶ କରି ୨୯ ତାରିଖରେ ତାହାକୁ ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିଥା’ନ୍ତେ।

୨୯ ଓ ୩୦ ତାରିଖରେ ସରକାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିସନ୍‌ଙ୍କୁ ଦେଇପାରିଲେନି। ଏପରିକି ଆଜି ନଭେମ୍ବର ୧ ତାରିଖରେ ମଧ୍ୟ ତାଲିକା ଚୂଡ଼ାନ୍ତ ହୋଇପାରିଲା ନାହିଁ। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ସରକାର ନିଜ ବିଜ୍ଞପ୍ତିକୁ ନିଜେ ଅମାନ୍ୟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସଂରକ୍ଷଣ ପ୍ରକ୍ରିୟାକୁ ତରବରରେ କରାଯାଇଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର