ବାଲିଅନ୍ତା: ଖୋର୍ଧା ଜିଲ୍ଲା ପରିଷଦ ୧୬ ନମ୍ବର ଜୋନ୍ର ଭୋଟ ଗଣତି ଜାରି ରହିଛି। ୧୦ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ମହେଶ୍ବର ଦାଶ ୯୪୪ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ତ୍ରୈଲୋକ୍ୟ ମଙ୍ଗରାଜଙ୍କଠାରୁ ଆଗୁଆ ଅଛନ୍ତି। ମହେଶ୍ବର ୪୮୮୨ଖଣ୍ଡ ଭୋଟ୍ ପାଇଥିବା ବେଳେ ତ୍ରୈଲୋକ୍ୟ ୩୯୩୮ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ସିଦ୍ଧେଶ୍ବର ନାଥ ୭୫୮ଖଣ୍ଡ ଭୋଟ ପାଇଛନ୍ତି। ମୋଟ ୬୦ଟି ୱାର୍ଡ ମଧ୍ୟରୁ ୩୬ଟି ୱାର୍ଡର ଗଣତି ଶେଷ ହୋଇଛି। ୧୬ନମ୍ବର ଜିଲ୍ଲା ପରିଷଦ ଜୋନ୍ ଯଥାକ୍ରମେ ଜଗନ୍ନାଥପୁର, ବାଲିଅନ୍ତା, ବେଣୁପୁର ଏବଂ ବଇଁଚୁଆ ପଞ୍ଚାୟତକୁ ନେଇ ଗଠିତ। ଅନ୍ୟପକ୍ଷରେ ସମିତି ସଭ୍ୟ ପ୍ରାର୍ଥୀ ଦୁର୍ଯୋଧନ ପରିଡ଼ା ନମିତା ପରିଡ଼ାଙ୍କଠାରୁ ୧୬ ଖଣ୍ଡ ଭୋଟ୍ ଅଧିକ ପାଇଛନ୍ତି।
ଗଣତି ଆରମ୍ଭରୁ ହିଁ ବିଜେଡି ପ୍ରାର୍ଥୀମାନେ ଆଗରେ ରହିଥିଲେ। ପରେ ଏହି ବ୍ୟବଧାନ ବଢ଼ିଥିଲା। ଫଳାଫଳ ଜାଣିବା ପାଇଁ ପଞ୍ଚାୟତ ସମିତି ବାହାରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ବ୍ଲକ ନିର୍ବାଚନ ଅଧିକାରୀ ବିଡିଓ ନାରାୟଣ ଚନ୍ଦ୍ର ନାୟକ ଏବଂ ତହସିଲଦାର ସରୋଜ କୁମାର ପଣ୍ଡା ଭୋଟ ଗଣତି କକ୍ଷରେ ଉପସ୍ଥିତ ରହି କାର୍ଯ୍ୟ ସଂପାଦନ କରିଥିଲେ। ଜୋନ୍-୪ ଏସିପି ପରେଶ କୁମାର ରାଉତ, ଥାନା ଅଧିକାରୀ ଯୁବରାଜ ସ୍ବାଇଁ, ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ଏବଂ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ ଶୃଙ୍ଖଳା ଦାୟିତ୍ବ ତଦାରଖ କରିଥିଲେ।
ଜୋନ୍-୧୯: ବିଳମ୍ବିତ ଗଣତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ
୫ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ବାଲିପାଟଣା: ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଆଜି ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଗଣତିର ୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଗଙ୍ଗାଧର ମଲ୍ଲିକ ୩୨୪୫ରେ ଆଗୁଆ ରହିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରସନ୍ନ ଭୋଇ ୧୮୦୨ ଓ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ମଲ୍ଲିକଙ୍କୁ ୩୬୦ ଖଣ୍ଡ ଭୋଟ୍ ମିଳିଥିଲା। ତେବେ ୧୦ ଘଣ୍ଟାରେ ମାତ୍ର ୫ଟି ୱାର୍ଡର ଗଣତି ହୋଇଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମନ୍ଥର ଗଣତି ପ୍ରକ୍ରିୟାକୁ ନେଇ ବୁଥ୍ ଏଜେଣ୍ଟମାନେ ବିରକ୍ତି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଏହି ଜୋନ୍ର ଅଠାନ୍ତର, ଗାରେଡ଼ିପାଞ୍ଚଣ, ପମ୍ପାଲୋ, ମଝିହରା ଏବଂ ଭାକରସାହି ପଞ୍ଚାୟତରେ ଗଣତି ହୋଇଥିଲା। ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡିଓ ଆଦିକନ୍ଦ ବେହେରା, ଜୋନ୍-୪ ଏସିପି ପ୍ରକାଶ ରାଉତ, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଭୋଟ୍ ଗଣତି ବେଳେ ଉପସ୍ଥିତ ଥିଲେ।
ଭୁବନେଶ୍ବର ବ୍ଲକ ୨୮ ନଂ ଜୋନ୍ରେ ଆଗରେ ବିଜେଡି
ମେଣ୍ଢାଶାଳ: ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୮ ନଂ ଜୋନ୍ରେ ବିଜେଡି ପ୍ରାର୍ଥୀ ପ୍ରଭାତ କୁମାର ପରିଡ଼ା ଆଗରେ ଅଛନ୍ତି। ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଶ୍ରୀ ପରିଡ଼ା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ବିଶ୍ବନାଥ ପିଙ୍ଗୁଆଙ୍କଠାରୁ ୫୪୫ ଖଣ୍ଡ ଭୋଟ୍ରେ ଆଗୁଆ ରହିଛନ୍ତି। ୨୮ନମ୍ୱର ଜୋନ୍ର ୬ଟି ପଞ୍ଚାୟତର ଭୋଟ ଗଣତି ଚାଲିଛି। ଏଥିରେ ଅନ୍ଧାରୁଆ, ଦାରୁଠେଙ୍ଗ, ମଳିପଡ଼ା, ଚନ୍ଦକା, ମେଣ୍ଢାଶାଳ, କଣ୍ଟାବାଡ଼ ଏହି ୬ଟି ପଞ୍ଚାୟତର ଗଣତି ଚାଲିଛି। ଏହି ଜୋନ୍ରେ ୫ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ବିଜେଡି, ବିଜେପି, କଂଗ୍ରେସ, ସିପିଆଇ(ଏମ୍) ଓ ସ୍ୱାଧୀନ ପାର୍ଥୀ ରହିଛନ୍ତି। ଅପରପକ୍ଷରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରଙ୍କ ଫଳାଫଳ କ’ଣ ହେବ, ଏନେଇ କର୍ମୀମାନେ ମଧ୍ୟରାତି ପର୍ଯ୍ୟନ୍ତ ବାହାରେ ରହି ଅପେକ୍ଷା କରିଥିବା ଦେଖିବାକୁ ମଳିଥିଲା। ଭୁବନେଶ୍ବର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ୱାର୍ଡର ଗଣତି ପରେ ମାଇକ୍ ଯୋଗେ ଫଳାଫଳ ଘୋଷଣା କରାଯାଇଛି। ଏଥିପାଇଁ ଭୋଟ୍ ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)