‘ସମ୍ବାଦ’ର ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି

ସାରା ରାଜ୍ୟରୁ ଭାଗ ନେବେ ୪୮ ଶ୍ରେଷ୍ଠ ପ୍ରତିଯୋଗୀ

ଭୁବନେଶ୍ୱର : ‘ସମ୍ବାଦ’ର ୩୩ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆସନ୍ତାକାଲି (ମଙ୍ଗଳବାର) ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବରୁ ରାଜ୍ୟର ୮ଟି ସ୍ଥାନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଶ୍ରେଷ୍ଠ ୩ଟି ସ୍ଥାନ ଅଧିକାର କରିଥିବା ମୋଟ ୪୮ଜଣ କୃତୀ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ମଙ୍ଗଳବାର ସକାଳ ୯ଟାରେ ପ୍ରତିଯୋଗୀମାନଙ୍କର ପଞ୍ଜୀକରଣ ସାଙ୍ଗକୁ ବିତର୍କର ବିଷୟବସ୍ତୁ ଘୋଷଣା କରାଯିବ। ସକାଳ ୧୦ଟାରେ ପ୍ରଥମେ ୨୪ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ନେଇ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ବିତର୍କ ପ୍ରତିଯୋଗିତାର ବିଚାରକ ଭାବେ କୃଷିମନ୍ତ୍ରୀ ଡା.ଦାମୋଦର ରାଉତ, ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ପ୍ରଫେସର ସୂର୍ଯ୍ୟନାରାୟରଣ ମିଶ୍ର ଯୋଗ ଦେଇ ପ୍ରତିଯୋଗୀମାନଙ୍କର ମୂଲ୍ୟାୟନ କରିବେ।

ସେହିପରି ମଧ୍ୟାହ୍ନ ଭୋଜନ ବିରତି ପରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ବିଭିନ୍ନ ଜୋନ୍‌ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ମୋଟ ୨୪ ଜଣ ପ୍ରତିଯୋଗୀ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତାର ବିଚାରକ ଭାବେ ଖ୍ୟାତନାମା କଣ୍ଠଶିଳ୍ପୀ ଚିତ୍ତ ଜେନା, ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଏବଂ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ ଯୋଗ ଦେବେ। ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ଆସନ୍ତା ୪ ତାରିଖ ସନ୍ଧ୍ୟାରେ ଜୟଦେବ ଭବନରେ ହେବାକୁ ଥିବା ‘ସମ୍ବାଦ’ର ୩୩ ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ଏହି ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପୁରସ୍କୃତ ହେବେ ।

ସମ୍ବନ୍ଧିତ ଖବର