ଜମିଲା ତର୍କ ଓ ସଂଗୀତର ମାହୋଲ୍  

ସମ୍ବାଦ ଜୋନ୍‌ ସ୍ତରୀୟ ପ୍ରତିଯୋଗିତା     

ସମ୍ବଲପୁର: ଗୋଟିଏ ପଟେ ଶୁଭୁଥିଲା ସଂଗୀତର ମୂର୍ଚ୍ଛନା, ଅପର ପାର୍ଶ୍ବରେ ଚାଲିଥିଲା ତର୍କର ସର୍ଜନା। ସ୍ବରର ଯାଦୁରେ ଯୁବ କଣ୍ଠଶିଳ୍ପୀ ମାନେ ସମସ୍ତଙ୍କ ମନ କିଣୁଥିଲେ ତ ବିଚାରର ପାଣ୍ଡିତ୍ୟରେ ବିଦ୍ୟାର୍ଥୀ ମାନେ ବିଜ୍ଞ ବିଚାରକଙ୍କ ଶ୍ରଦ୍ଧା ଜିଣୁଥିଲେ। ‘ସମ୍ବାଦ’ ପକ୍ଷରୁ +୨ରୁ ନେଇ ବିଶ୍ବବିଦ୍ୟାଳୟ ଯାଏ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି ବାର୍ଷିକ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ କେହି କାହାରିଠୁ କମ୍ ନଥିଲେ। ଅନେକ ସଦ୍ୟ ଦଶମ ପାସ୍ କରି +୨ରେ ନାମ ଲେଖାଇଥିବା ତରୁଣତରୁଣୀ ବି ନିଜଠାରୁ ଅନେକ ବରିଷ୍ଠ ଅଭିଜ୍ଞ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ଛାଡ଼ି ଦେଇଥିଲେ।

ସାଧାରଣ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଟକ୍କର ଦେବାକୁ ମେଡିକାଲ୍, ଇଂଜିନିୟରିଂ, କୃଷି ବିଶ୍ବବିଦ୍ୟାଳୟ ଭଳି କଲେଜ୍ ଗୁଡ଼ିକର ବିଦ୍ୟାର୍ଥୀ ମାନେ ଅଣ୍ଟା ଭିଡ଼ିଥିଲେ। ସମ୍ବଲପୁର ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ବେଶ ଜମିଥିଲା।  ବିଜ୍ଞ ବିଚାରକ ଓ ଅତିଥିଙ୍କ ଉପସ୍ଥିତି ଉଭୟ ପ୍ରତିଯୋଗିତାର ଗାମ୍ଭୀର୍ଯ୍ୟ ବଢ଼ାଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ‌ଯୋଗ ଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଲେ ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଥିବା ଭାରତ ସ୍ବତନ୍ତ୍ରତାର ୧୦୦ ବର୍ଷ ପୂରା କଲା ବେଳକୁ ଅର୍ଥାତ୍ ଆଗାମୀ ୨୫ ବର୍ଷ ମଧ୍ୟରେ ବିଶ୍ବର ଶ୍ରେଷ୍ଠ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି।

ହେଲେ ଏଥି ପାଇଁ ଦେଶର ନେତୃତ୍ବ ନେବାକୁ ଉତ୍ତମ ରାଜନେତାଙ୍କ ଆବଶ୍ୟକତା ରହିଛି। ଆମ ଯୁବପିଢ଼ି ଡାକ୍ତର, ଇଂଜିନିୟର୍‌ ବା ଆଇଏଏସ୍‌ ହେବାକୁ ସ୍ବପ୍ନ ଦେଖିବା ସହ ଦେଶର ନେତୃତ୍ବ ନେବାକୁ ମଧ୍ୟ ଲକ୍ଷ୍ୟ ରଖିବା ଦରକାର। ଆମ ପାଖରେ ପ୍ରତିଭାର ଅଭାବ ନାହିଁ, କେବଳ ତାକୁ ବିକଶିତ କରିବାର ମାଧ୍ୟମ ଦରକାର ବୋଲି ଶ୍ରୀ ପୂଜାରୀ କହିଥିଲେ। ଅନ୍ୟତମ ଅତିଥି ପୂର୍ବତନ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ, କଳା କେବେ ମରେ ନାହିଁ, ଅନ୍ତରାତ୍ମାରେ ସବୁବେଳେ ଜୀବିତ ରହିଥାଏ। ତେଣୁ ଏହାକୁ ବିକଶିତ କରିବା ପାଇଁ ସମସ୍ତେ ସ୍ବପ୍ନ ଦେଖ ଓ ତାକୁ ସାକାର କରିବା ପାଇଁ ସାଧନା କର ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର. ସଂଯୁକ୍ତା ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ପ୍ରତିଭାର ବିକାଶ ହେଲେ ମାନବ ସମ୍ବଳର ସଦୁପଯୋଗ ହୋଇପାରିବ। ଯୁବପିଢ଼ି ନିଜ ପ୍ରତିଭାର ଉପଯୁକ୍ତ ନିଦର୍ଶନ କଲେ ନିଜେ ଆଗେଇବା ସହ ଦେଶ ବି ଆଗେଇ ପାରିବ ବୋଲି କହିଥିଲେ। ସେହିପରି ଶିକ୍ଷାବିତ୍ ପ୍ର. କାମଦେବ ସାହୁ କହିଲେ, ସମୟର ଆହ୍ବାନକୁ ସ୍ବୀକାର କରି ସେଥିରେ ଉତ୍ତୀର୍ଣ୍ଣ ହେବାର ମନୋବଳ ଯୁବପିଢ଼ିଙ୍କ ମଧ୍ୟରେ ରହିବା ଦରକାର। କାରଣ ସେମାନଙ୍କ ପ୍ରତିଭା ‌ହିଁ ହେଉଛି ସମାଜର ଆଇନା ଓ ପଥପ୍ରଦର୍ଶକ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଉଭୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ନଗଦ ଅର୍ଥ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ଶେଷରେ ‘ସମ୍ବାଦ’ର ଅତିରିକ୍ତ ମହାପ୍ରବନ୍ଧକ ‌ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର