କେନ୍ଦ୍ରାପଡ଼ା : କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜମଧର ଛକ ନିକଟରେ ଗୁରୁବାର ରାତି ପାଖାପାଖି ୧୨ଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋକୁ ଏକ ବାଲି ବୋଝେଇ ହାଇଵା ସାମ୍ନା ପଟୁ ଧକ୍କା ଦେବାଫଳରେ ଅଟୋରେ ବସିଥିବା ସମସ୍ତ ତିନିଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ତିନିଜଣ ହେଉଛନ୍ତି, ଆଳି ବ୍ଲକ୍‌ ଜାମୁଦଣ୍ତା ଅଞ୍ଚଳର ଆଶିଷ ବେଉରା(୩୩), ରାଜନଗର ବାଲିକଣା ଗ୍ରାମର ରାଜେନ୍ଦ୍ର ବଳ ଏବ˚ ଭୁବନେଶ୍ବରର ହେମନ୍ତ ସୁନ୍ଦରାୟ। ସେମାନେ ଭୁବନେଶ୍ବରରୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି।

Advertisment

ସୂଚନାନୁଯାୟୀ, ଆଶିଷ ଜଣେ ଠିକାଦାର। ସେ ଭୁବନେଶ୍ବରରେ ରହି କାମ କରନ୍ତି। ତାଙ୍କ ଭିଣୋଇଙ୍କ ଧାନକଟା ମେସିନ୍‌ କେନ୍ଦ୍ରାପଡ଼ାରେ କାମ କରୁଥିଲା। ଗତକାଲି ଆଶିଷ ସହଯୋଗୀ ରାଜେନ୍ଦ୍ରଙ୍କ ସହିତ ଭୁବନେଶ୍ବରରୁ ହେମନ୍ତଙ୍କ ଅଟୋ ଭଡ଼ା କରି ଆସିଥିଲେ। ଆଶିଷ ଓ ରାଜେନ୍ଦ୍ର ଅଟୋ ପଛସିଟ୍‌ରେ ବସିଥିଲେ।

ହେମନ୍ତ ଅଟୋ ଚଳାଉଥିଲେ। ଆଉ ମାତ୍ର ଚାରି କିଲୋମିଟର ପରେ ସେମାନେ କେନ୍ଦ୍ରାପଡ଼ାରେ ପହଞ୍ଚିଥା’ନ୍ତେ। ସେଠାରେ ଭିଣୋଇଙ୍କ ସହିତ ଆଲୋଚନା ପରେ ଆଳିରେ ଥିବା ଘରକୁ ଫେରିଯିବାକୁ ଯୋଜନା ଥିଲା। ମାତ୍ର ଜମଧର ଛକ ନିକଟରେ ସବୁକିଛି ଓଲଟପାଲଟ ହେଇଯାଇଥିଲା। କେନ୍ଦ୍ରାପଡ଼ା ପଟୁ ଯାଉଥିବା ଏକ ବାଲି ବୋଝେଇ ହାଇଵା ହଠାତ୍‌ ଡାହାଣ ପଟକୁ ମାଡ଼ି ଯାଇ ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଧକ୍କା ଦେଇ ଅଟୋକୁ ହାଇଵାଟି କିଛି ବାଟ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ହାଇଵା ଧରି ସେଠାରୁ ଫେରାର‌୍‌ ହୋଇ ଯାଇଥିଲା।

ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋରେ ଚାପି ହେଇ ଯାଇଥିବା ତିନିଜଣଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷ ଅବିବାହିତ ଥିଲେ ଏବ˚ ତାଙ୍କର ବଡ଼ଭାଇ ଅଛନ୍ତି। ସେହିପରି ରାଜେନ୍ଦ୍ରଙ୍କ ଘର ରାଜନଗର ହୋଇଥିଲେ ବି ତାଙ୍କ ପରିବାର ଭୁବନେଶ୍ବରରେ ରହୁଛନ୍ତି। ଆଶିଷ ତାଙ୍କର ସାଙ୍ଗ ଥିଲେ। ତେଣୁ, ଆଶିଷ ଆଳିସ୍ଥିତ ନିଜଘରକୁ ରାଜେନ୍ଦ୍ରଙ୍କୁ ବୁଲାଇ ନେଇ ଯାଉଥିଲେ। ହେମନ୍ତଙ୍କର ନିଜର ଅଟୋ ଥିଲା। ସେ ନିଜେ ଚଳାଇ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଜିଲ୍ଲା ହସ୍ପିଟାଲ୍‌ରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତିନି ପରିବାରକୁ ହସ୍ତାନ୍ତର କରାଯାଇଛି।