ଭୁବନେଶ୍ବର : ଜିଲ୍ଲାସ୍ତରୀୟ ଅମଲାଙ୍କ ବେତନରେ ଥିବା ବ୍ୟାପକ ଅସଙ୍ଗତି ଦୂର ଦାବିରେ ଆଜି ଠାରୁ ମିଳିତ ଅମଲା ମଞ୍ଚ ରାଜ୍ୟ ସଂଘ କଳାବ୍ୟାଜ୍ ପିନ୍ଧି କାମ କରିବ। ଭୁବନେଶ୍ବର କର୍ମଚାରୀ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଅଧ୍ୟକ୍ଷ ନାରାୟଣ ଦାଶ ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ୨୦୧୭ରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର୍ ଜ୍ଞାନ ହୋଇଥିଲେ ମଧ୍ୟ ବେତନରେ ଅଭିବୃଦ୍ଧି ହୋଇନାହିଁ। ଅମଲାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିଥା’ନ୍ତି। କିନ୍ତୁ ଏହା ବଦଳରେ ସେମାନେ ସରକାରୀ ଅବହେଳା ଓ ପ୍ରତାରଣାର ଶିକାର ହୋଇ ଆସୁଛନ୍ତି। ତେଣୁ ବେତନରେ ସଙ୍ଗତି ନ ଆସିଲେ ଆସନ୍ତା ୧ ତାରିଖରୁ ଅମଲାମାନେ ସମୂହ ଛୁଟିରେ ଯିବେ ସଂଘ ଚେତାବନୀ ଦେଇଛି। ଶ୍ରୀ ଦାଶ କହିଛନ୍ତି, ଗତ ଏପ୍ରିଲ ୨୧ ତାରିଖରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ମେ’ ୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା। ମେ’ ୨୧ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧିବା ନିଷ୍ପତ୍ତି ହୋଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆବାହକ ଚିତ୍ତରଞ୍ଜନ ତରାସିଆ, ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ, ରାଜସ୍ୱ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ଟ୍ରେଜେରି ସଂଘର ସଭାପତି ସମର କାନୁନ୍ଗୋ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ରାଉତରାୟ, ରାଜ୍ୟ ନିବନ୍ଧକ ସଂଘ ସଭାପତି ବିଭୁଦତ୍ତ ବାରିକ, ସାଧାରଣ ସମ୍ପାଦକ ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।