ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏବେ ଚାଷୀମାନେ କୃଷି ବୀମା କରାଉଛନ୍ତି। ହେଲେ ଏହି ବୀମା କରାଇବାରେ ଏକ ରାକେଟ ବଲାଙ୍ଗୀର ଜିଲ୍ଲାରେ ସକ୍ରିୟ ହୋଇଛି। ଅସଲି ଜମିରେ ନକଲି କୃଷି ବୀମା ସେମାନେ କରି ନେଉଛନ୍ତି। ଆଉ ଅସଲି ଜମି ମାଲିକ ନିଜ ଜମି ଥାଇ ବି ବୀମା କରିପାରୁନି। ବେଲପଡ଼ା, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ୍ ଅଂଚଳରେ ଏଭଳି ଏକ ନକଲି କୃଷି ବୀମା କରାଉଥିବା ରାକେଟ ସକ୍ରିୟ ରହିଛି। ଥାନାରୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କୁ ଚାଷୀମାନେ ଲିଖିତ ଅଭିଯୋଗ କରିବା ପରେ ବି ଏହାର ତଦନ୍ତ ହେଉନି। ପୁଲିସ ଓ ପ୍ରଶାସନ ଚୁପ୍ ବସିଛନ୍ତି। ଏପଟେ ଦିନକୁ ଦିନ ଏଭଳି ଘଟଣା ବଢ଼ି ଚାଲିଛି।
ତୁରେକେଲା ବ୍ଲକ୍ ମହୁଲପାଟି ଗାଁ। ଖାତା ନମ୍ବର ୮୧ ଓ ୮୨ରେ ଥିବା ପ୍ରାୟ ୪୦ ଏକର ଜମିକୁ କେହି ଅଜଣା ବ୍ୟକ୍ତି ବୀମା କରାଇ ନେଇଛି। ସେହିପରି ମାଗୁରଜଙ୍ଗଲ, ବୁଢ଼ୀବାହାଲ, ଢୋଲମାନ୍ଦଲ, ଦେବିରିଆମୁଣ୍ଡା, ଲର୍କି, ବାହାବଲ, ଗଭରା ଆଦି ଗାଁରେ ଏଭଳି ଶହ ଶହ ଏକର ଜମିରେ ନକଲି କୃଷି ବୀମା କରାଯାଇଛି। ଚାଷୀମାନେ ନିଜେ କୃଷି ବୀମା କରିବାକୁ ଯାଇଥିବା ସମୟରେ ତାଙ୍କ ଜମିରେ ଅନ୍ୟ କେହି ବୀମା କରାଇ ନେଇସାରିଥିବା ଜାଣିବାକୁ ପାଇଥିଲେ। ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇବା ସହ ତଦନ୍ତ ଦାବି କରିଥିଲେ।
ସେହିପରି ଖପ୍ରାଖୋଲ ବ୍ଲକ୍ ଦେଦର୍ହ ଗାଁର ଚାଷୀ ଦେବରାଜ ପ୍ରଧାନ ତାଙ୍କ ଜମିର କୃଷି ବୀମା କରାଇବାକୁ ଗ୍ରାହକ ସେବାକେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କ ଜମିରେ ଅନ୍ୟ କେହି କୃଷି ବୀମା କରି ନେଇଥିବା ଜାଣିବାକୁ ପାଇଥିଲେ। ପଡ଼ିଆବାହାଲ ସମେତ ସାନଉଡ଼େଲ, ପାଚେର, କନଗାଁ, ପତରାପାଲି ଓ ସାଲେପାଲି ଆଦି ଗାଁର ଚାଷୀଙ୍କ ଜମିରେ ଅନ୍ୟ କେହି କୃଷି ବୀମା କରାଇ ନେଇଛନ୍ତି। ବେଲପଡ଼ା ବ୍ଲକ୍ ଓ ବଙ୍ଗୋମୁଣ୍ଡା ବ୍ଲକ୍ରେ ବି ଏଭଳି ଅନେକ ଘଟଣା ଦେଖିବାକୁ ମିଳିଲାଣି। ଚାଷୀମାନେ ପ୍ରଶାସନ ଓ ପୁଲିସର ଦ୍ୱାରସ୍ଥ ହେଉଛନ୍ତି। କଣ୍ଟାବାଞ୍ଜି ଓ ତୁରେକେଲା ଥାନାରେ ଏତଲା ବି ଚାଷୀମାନେ ଦେଇଛନ୍ତି। ଥାନାଧିକାରୀ ଅଭିଯୋଗପତ୍ର ରଖିଦେଇ କେବଳ ଚୁପଚାପ ବସିଥିବା ଅଭିଯୋଗ ହେଉଛି। କଣ ପାଇଁ କିଏ ଏଭଳି ବୀମା କରାଉଛନ୍ତି? ଚାଷୀ ଅଜାଣତରେ ବୀମା କଲେ କଣ ଲାଭ? ପୂର୍ବରୁ ଏଭଳି ହୋଇଆସୁଛି କି? ଏ ନେଇ ଏକ ରାକେଟ ଉକ୍ତ ଅଂଚଳରେ କାମ କରୁଥିବା ସନ୍ଦେହ କରାଯାଉଛି। ଏ ଦିଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଖୋଲିବ ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/balangir.jpg)