ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ବଂଶଧାରା ନଦୀ ପୋଲରେ ଆଶା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର (୫୫ବର୍ଷ)ଙ୍କ ମୃତ୍ୟୁ ହୋଇଛି। ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦୁର୍ବୃତ୍ତ ଘଟାଇଲେ ସ୍ପଷ୍ଟ ହୋଇପାରିନି।

Advertisment

ସୂଚନା ଅନୁଯାୟୀ, ଗୌରୀ ମିଶ୍ର ନିୟମିତ ଭାବେ ବନ୍ଧୁ ସତ୍ୟ ଶତପଥୀ, ଅଶୋକ ରଥ ଓ ଅକ୍ଷୟ ଦାଶଙ୍କ ସହ ବଂଶଧାରା ପୋଲକୁ ରାତିରେ ବୁଲିବାକୁ ଯାଉଥିଲେ। ଆଜି ମଧ୍ୟ କିଛି ସମୟ ବନ୍ଧୁଙ୍କ ସହ ପୋଲରେ ବିତାଇବା ପରେ ଘରକୁ ରାତି ପ୍ରାୟ ସାଢ଼େ ୯ଟାରେ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ବନ୍ଧୁମାନେ ବାଇକ୍‌ରେ କିଛି ବାଟ ଆଗକୁ ଚାଲି ଆସିଥିବା ବେଳେ ଗୌରୀ ଏକୁଟିଆ ଥିଲେ। ଏହି ସମୟରେ ୨ ରୁ ୩ଜଣ ଅଜଣା ଦୁର୍ବୃତ୍ତ ବାଇକ୍‌ ନେଇ ସେଠାରେ ପହଞ୍ଚିଥିଲେ। ହଠାତ୍‌ ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ଚାଲିଚାଲି ଗୌରୀଙ୍କ ନିକଟରେ ପହଞ୍ଚି ମୁହଁକୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ସେଠାରୁ ଦୌଡ଼ିଥିଲା। ପୂର୍ବରୁ ବାଇକ୍‌ ଷ୍ଟାଟ୍‌ କରି ଅନ୍ୟ ଜଣେ ଦୁର୍ବୃତ୍ତ ରହିଥିବାରୁ ବାଇକ୍‌ରେ ବସି ସେଠାରୁ ଫେରାର ହୋଇଯାଇଥିଲା।

ଗୁଳି ଫୁଟିବା ଶୁଣି ଗୌରୀଙ୍କ ବନ୍ଧୁମାନେ ପଛକୁ ଫେରିଥିଲେ। ତଳେ ପଡ଼ିଥିବା ଗୌରୀଙ୍କୁ ଉଠାବିକାକୁ ଚେଷ୍ଟା କରିବା ସହ ପୁଲିସକୁ ମଧ୍ୟ ଯୋଗାଯୋଗ କରିଥିଲେ। ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୌରୀଙ୍କୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା। କିନ୍ତୁ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ। ଥାନା ଅଧିକାରୀ ନୀଳାମ୍ବର ଜାନୀଙ୍କ ସମେତ ପୁଲିସ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।