କଟକ-ବିଦ୍ୟାଧରପୁର : କଟକ ସଦର ପଂଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନକୁ ନେଇ ଏବେ ଜଟିଳ ତଥା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ପଞ୍ଚାୟତର ସମିତି ସଭ୍ୟମାନେ। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କର ଏଠି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଥାଇ ବି ନିର୍ବାଚନ ହୋଇ ନ ପାରିବା ଏବଂ ଦୁଇ ଦୁଇ ଥର ନିର୍ବାଚନକୁ ସମିତି ସଭ୍ୟମାନେ ବର୍ଜନ କରିବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି।

Advertisment

ଗତ ଏପ୍ରିଲ ୬ ତାରିଖରେ ପ୍ରଥମଥର ନିର୍ବାଚନ କରିବାକୁ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଥିବାବେଳେ ସେଥିରେ କେହି ଭାଗ ନେଇ ନ ଥିଲେ। ଆଜି ପୁଣି ଦ୍ବିତୀୟଥର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ତାହାକୁ ବି ବର୍ଜନ କରାଯାଇଛି। ଆଜି ସକାଳେ ତେଲେଙ୍ଗାପେଣ୍ଠ ସ୍ଥିତ ଟୁଇନ୍ ସିଟିରେ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ସହିତ ବିଜେଡି ସମର୍ଥିତ ସମିତି ସଭ୍ୟମାନେ ଏକାଠି ଆଲୋଚନା କରିଥିଲେ। ଯେ ପର୍ଯ୍ୟନ୍ତ ଗତିରାଉତପାଟଣା ସମିତି ସଭ୍ୟ ନିର୍ବାଚନ ନ ହୋଇଛି, ସେ ଯାଏ ଅଧ୍ୟକ୍ଷା ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଏଭଳି କିଛି ନିୟମ ନଥିବା ବେଳେ ବିଜେଡି ସମର୍ଥିତ ସମିତି ସଭ୍ୟ ‌କିଭଳି ଏହାକୁ ଚାଲେଞ୍ଜ କରୁଛନ୍ତି ଏବଂ ବିଜେଡିର ବିଧାୟକ ବି ଏହି ନିଷ୍ପତ୍ତିରେ ସହମତ ହେଉଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ ଯେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନକୁ ବିରୋଧ କରି ୧୮ଜଣ ସମିତି ସଭ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଶୁଣାଣି ଚାଲିଥିବାବେଳେ ଅଧ୍ୟକ୍ଷା ନିର୍ବାଚନ ହେବ କିନ୍ତୁ ହାଇକୋର୍ଟଙ୍କ ରାୟ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ଉପରେ ଅଙ୍କୁଶ ଲଗା ଯାଇଥିଲା ବୋଲି ସଦର ବ୍ଲକ ବିଡ଼ିଓ ରାଜୀବ ଲୋଚନ ପରିଡ଼ା କହିଛନ୍ତି। କଟକ ସଦର ପଂଚାୟତ ସମିତିରେ ୨୩ ଜଣ ସମିତି ସଭ୍ୟ ଥିବାବେଳେ ଗତିରାଉତପାଟଣା ସମିତି ସଭ୍ୟା ବିଷ୍ଣୁପ୍ରିୟା ରାଉତ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲା। କିନ୍ତୁ, ଏପ୍ରିଲ ୨୧ ତାରିଖରେ ତାଙ୍କର ପରଲୋକ ଘଟିବା ପରେ କାମଚଳା ଦାୟିତ୍ବରେ ଉପାଧ୍ୟକ୍ଷା ଅମ୍ବିକା ପାତ୍ର ଅଛନ୍ତି। କିନ୍ତୁ ଗତିରାଉତପାଟଣା ସମିତି ସଭ୍ୟା ନିର୍ବାଚନ ନହେବା ଯାଏ ଅଧ୍ୟକ୍ଷ ନିର୍ବାଚନ ନ କରିବାକୁ ଦାବି କରାଯାଉଛି। ବିଷ୍ଣୁପ୍ରିୟା ରାଉତଙ୍କ ପରିବାରର ଆଉ ଜଣଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ କରିବାକୁ ଯୋଜନାରେ ଏଭଳି ସ୍ଥିତି ସୃଷ୍ଟି କରାଯାଉଥିବା କୁହାଯାଉଛି।

ବାରଙ୍ଗ ତହସିଲଦାର ସ୍ଵସ୍ତିକ ସଂକଳ୍ପ ସାହୁ କହିଛନ୍ତି ଯେ, ଆଜି ଦିନ ୧୧ଟାଠାରୁ ୧୧ଟା୩୦ ମିନିଟ ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କେହି ନାମାଙ୍କନ ଦାଖଲ ନ କରିବାରୁ ନିର୍ବାଚନ ବାତିଲ ହେବା ନେଇ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।