ଭୁବନେଶ୍ବର: ଜଣେ ଜୁନିଅର୍ କ୍ରୀଡ଼ା ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଆଜି ଇନ୍ଫୋସିଟି ଥାନା ପୁଲିସ୍ ତିନି ସିନଅର୍ ଛାତ୍ରଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କ୍ରୀଡ଼ା ଛାତ୍ରମାନେ ହେଲେ ରାଉରକେଲାର ଆଶିଷ ପାତ୍ର(୨୭), ସୁରଜ୍ ଠାକୁର(୨୪) ଓ ଜଗନ୍ନାଥ ଦାଶ(୨୭)।
ସୂଚନାନୁସାରେ ଇନ୍ଫୋସିଟି ଥାନା ନିକଟସ୍ଥ ଏକ ଘରୋଇ କଲେଜ୍ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଏକ ଅନ୍ତଃଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ଛାତ୍ରମାନେ ଆସିଥିଲେ। ସେମାନେ ଷ୍ଟାଡିୟମ ନିକଟ ଏକ ଗେଷ୍ଟ୍ହାଉସ୍ରେ ରହୁଥିଲେ। ଗତକାଲି ଥିଲା ଲମ୍ବ ଡିଆଁ ପ୍ରତିଯୋଗିତା। ସୁନ୍ଦରଗଡ଼ର ଜଣେ ନାବାଳକ ଛାତ୍ର ଏଥିରେ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଶେଷ ପର୍ଯ୍ୟାୟରେ ସେ ଅଳ୍ପକେ ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ। ଏଥିରେ ସିନିଅର୍ମାନେ ଉତ୍କ୍ଷିପ୍ତ ହୋଇଉଠିଥିଲେ। ନାବାଳକ ଛାତ୍ରଙ୍କ ଅଭିଯୋଗ ଅନୁସାରେ ଗେଷ୍ଟ୍ ହାଉସ୍କୁ ଫେରିବା ପରେ ସିନଅର୍ମାନେ ତାଙ୍କୁ ନିବସ୍ତ୍ର କରି ଯୌନ ନିର୍ଯାତନା ଦେଇଥିଲେ। ସେମାନଙ୍କ ଆକ୍ରମଣର ଶିକାର ହୋଇ ନାବାଳକ ଛାତ୍ର ଚିତ୍କାର କରିଥିଲେ। ପାଟି ଶୁଣି କ୍ରୀଡ଼ା ପ୍ରଶିକ୍ଷକ ଓ ଗେଷ୍ଟ୍ହାଉସ୍ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ ଭୁବନେଶ୍ବର ଆସିଥିଲେ ଓ ନାବାଳକଙ୍କ ମା’ ଆଜି ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ଅଧିକାରୀ ଗେଷ୍ଟ୍ହାଉସ୍ କର୍ତ୍ତୃପକ୍ଷ, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜକମାନଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରିଥିଲା।