ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୩୮ଟି ଅଣସର୍ଭେ/ଜଙ୍ଗଲ ଗ୍ରାମକୁ ଓଡ଼ିଶା ରାଜସ୍ବ ପର୍ଷଦ ଦ୍ବାରା ରାଜସ୍ବ ଗାଁର ମାନ୍ୟତା ମିଳିଛି। ତନ୍ମଧ୍ୟରୁ ଧରାକୋଟ ତହସିଲ ଅଧୀନରେ ୭ଟି, ସୋରଡ଼ା ଅଧୀନରେ ୧୩ଟି, କୋଦଳା ଅଧୀନରେ ୫ଟି ଓ ପୋଲସରା ତହସିଲ ଅଧୀନ‌ରେ ୧୩ଟି ଗ୍ରାମ ରହିଛି। ଏକକାଳୀନ ୩୮ଟି ଗ୍ରାମକୁ ରାଜସ୍ବ ଗାଁର ମାନ୍ୟତା ମିଳିବା, ଓଡ଼ିଶାରେ ଏକ ରେକର୍ଡ଼ ବୋଲି ବିବେଚନା କରାଯାଇଛି। ଆଜି ପର୍ଯ୍ୟନ୍ତ ଓଡ଼ିଶାର ମାତ୍ର ୧୪ଟି ଅଣସର୍ଭେ/ଜଙ୍ଗଲ ଗ୍ରାମକୁ ରାଜସ୍ବ ଗାଁରେ ପରିଣତ କରାଯାଇଥିଲା।

Advertisment

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ତଥ୍ୟାନୁସାରେ (ପତ୍ର ସଂଖ୍ୟା:୪୪୭୮, ତାରିଖ:୨.୩.୨୦୧୭) ଅନୁସାରେ ଗଞ୍ଜାମ ଜିଲ୍ଲାରେ ୫୩ଟି ଅଣସର୍ଭେ/ଜଙ୍ଗଲ ଗ୍ରାମ ରହିଥିଲା। ତହସିଲସ୍ତର‌ରେ ଅନୁଧ୍ୟାନ ବେଳେ ୧୩ଟି ଗ୍ରାମ ଆଗରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଜଣାପଡ଼ିଥିଲା। ଗୋଟିଏ ଗ୍ରାମରେ ନିର୍ଦ୍ଧାରିତ ଲୋକସଂଖ୍ୟା ନଥିବାରୁ ତାହା ରାଜସ୍ୱ ଗ୍ରାମରେ ପରିଣତ ହୋଇ ନଥିଲା।

ଏହାବାଦେ, ସମୁଦାୟ ୩୮ଟି ଅଣସର୍ଭେ/ଜଙ୍ଗଲ ଗ୍ରାମ ଥିଲା। ଯେଉଁଠି, ମୁଖ୍ୟତଃ ଅନୁସୂଚିତ ଜନଜାତିର ଲୋକ ରହୁଛନ୍ତି। ଏସମସ୍ତ ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସମସ୍ତ ପ୍ରକ୍ରିୟା ସଂପନ୍ନ କରିବାକୁ ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମ୍ପୃକ୍ତ ତହସିଲଦାର ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା। ରାଜସ୍ବ ବିଭାଗ, ଜଙ୍ଗଲ ବିଭାଗ ଓ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗର ମିଳିତ ସହାୟତାରେ ଏସମସ୍ତ ଗ୍ରାମର କେସ୍ ରେକର୍ଡ଼ ତିଆରି ୨୦୨୧ ମସିହାରେ ଓଡ଼ିଶା ରାଜସ୍ବ ପର୍ଷଦଙ୍କୁ ପଠାଯାଇଥିଲା। ଏଥିରେ କିଛି ସଂଶୋଧନ ପାଇଁ ରାଜସ୍ବ ପର୍ଷଦ ପ୍ରସ୍ତାବ ଦେଇଥିଲେ। ପୁଣି ଚଳିତବର୍ଷ ଜାନୁଆରି ଓ ‌‌ଫେବ୍ରୁଆରିରେ ରାଜସ୍ବ ପର୍ଷଦଙ୍କୁ ରେକର୍ଡ଼ ଦାଖଲ କରାଗଲା।

ଏହାକୁ ଅନୁଧ୍ୟାନ କରିବା ପରେ ରାଜସ୍ବ ପର୍ଷଦ ୩୮ଟିଯାକ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେଇଛନ୍ତି। ଯଦ୍ବାରା ଜନସାଧାରଣ ସମସ୍ତ ସରକାରୀ ସୁବିଧାସୁଯୋଗ ପାଇପାରିବେ। ଜାତିଗତ, ଆୟ, ଗୃହ ଓ ଜମିବାଡ଼ି କିଣାବିକାର ପ୍ରମାଣପତ୍ର ସହଜରେ ସଂପାଦିତ ହୋଇପାରିବ। ସମସ୍ତ ଗ୍ରାମରେ ବିଭିନ୍ନ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇପାରିବ ବୋଲି ସୂଚନା ମିଳିଛି। ସେହିପରି ଏହି ୩୮ ଟି ଗ୍ରାମକୁ ଜଙ୍ଗଲ ଅଧିକାର ଆଇନ ବଳରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଅଧିକାରର ଶିରୋନାମା ମଧ୍ୟ ପ୍ରଦାନ କରାଯାଇଛି ।