ବ୍ରହ୍ମପୁର : ଅନ୍ୟର ଭୁଲ୍ ପାଇଁ ଅଭିଶାପ ପାଲଟି ଯାଉଛି ଜୀବନ। ଭୂମିଷ୍ଠା ହେବା କ୍ଷଣି ଆରମ୍ଭ ହୋଇ ଯାଉଛି ବଞ୍ଚିବାକୁ ସଂଘର୍ଷ। ଜୁଆଡ଼େ ଗଲେ ଆଡ଼ ଆଖିରେ ଚାହୁଁଛି ସମାଜ। ନିରନ୍ତର ଅବହେଳା ଓ ଘୃଣାଭାବ ପ୍ରଦର୍ଶନ ଯୋଗୁଁ ବଞ୍ଚିବାର ଆଶା ଛାଡ଼ି ଦେଇଥିବା ଏଚ୍ଆଇଭି ସଂକ୍ରମିତ ପିଲାଙ୍କ ପାଇଁ ଏବେ ସାହାରା ପାଲଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍ଏସିରେ ଥିବା ଶିଶୁଯତ୍ନ ଗୃହ ଶ୍ରଦ୍ଧା ସଞ୍ଜୀବନୀ। ଏଚ୍ଆଇଭି ପଜିଟିଭ୍ ମାତା-ପିତାଙ୍କ ଠାରୁ ସଂକ୍ରମିତ ହୋଇ ଜନ୍ମିତ ଅନାଥ ଶିଶୁଙ୍କୁ ଏଠାରେ ଥଇଥାନ କରାଯାଉଛି। ରାଜ୍ୟ ସରକାର ସେହି ପିଲାମାନଙ୍କ ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି। ଏବେ ଶ୍ରଦ୍ଧା ସଞ୍ଜୀବନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୭ଜଣ ଅନ୍ତେବାସୀ ରହିଛନ୍ତି। ଯେଉଁମାନେ କି ନୂଆ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି।
ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୯୯୬ଜଣ ଏଚ୍ଆଇଭି ସଂକ୍ରମିତ ଗର୍ଭବତୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ଏଡ୍ସ ସେଲ୍ ତରଫରୁ ମାଗଣାରେ ଚିକିତ୍ସା ସୁବିଧା ସହିତ ଔଷଧ ପ୍ରଦାନ କରାଯାଉଛି। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ ଦ୍ବାରା ଅଧିକାଂଶ ପୁରୁଷ ଲୋକ ଏଚ୍ଆଇଭିରେ ସଂକ୍ରମିତ ହେଉଛନ୍ତି। ରୋଗ ସମ୍ପର୍କରେ ଜାଣିପାରୁ ନଥିବାରୁ ଠିକ୍ ସମୟରେ ଚିକିତ୍ସା କରୁ ନାହାନ୍ତି। ପରେ ସ୍ବାମୀଙ୍କ ଠାରୁ ସ୍ତ୍ରୀ ସଂକ୍ରମିତ ହେଉଛନ୍ତି। ପରବର୍ତ୍ତୀ ସମୟରେ ଗର୍ଭରେ ଶିଶୁ ରହିବା ପରେ ତା’ର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଏଚ୍ଆଇଭି ସଂକ୍ରମିତ ଶିଶୁଙ୍କ ମାତା-ପିତାଙ୍କ ମୃତ୍ୟୁ ପରେ ସେମାନେ ଅନାଥ ହୋଇଯାଉଛନ୍ତି। ଏଭଳି ଅନାଥ ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଗୋପାଳପୁରରେ ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହ ଆରମ୍ଭ କରାଯାଇଥିଲା।
ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ବର୍ତ୍ତମାନର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ଙ୍କ ଉଦ୍ୟମ କ୍ରମେ ଗତ ୨୦୦୭ରେ ଶ୍ରଦ୍ଧା ସଞ୍ଜୀବନୀ ପ୍ରତିଷ୍ଠା ହୋଇଥିଲା। ଏଠାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଏଚ୍ଆଇଭି ସଂକ୍ରମିତ ଅନାଥ ଶିଶୁଙ୍କ ଯତ୍ନ ନିଆଯାଉଛି। ୬ରୁ ୧୮ବର୍ଷ ବୟସ ଭିତରେ ରହିଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି।
ଶିଶୁଙ୍କୁ ଏଚ୍ଆଇଭି ସଂକ୍ରମଣରୁ ରକ୍ଷା କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୦୮ରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ୯୯୬ଜଣ ଗର୍ଭବତୀ ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୭ଗର୍ଭବତୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୩୩ଜଣ, ୨୦୨୦ରେ ୩୭, ୨୦୧୯ରେ ୩୮ଜଣ ଚିହ୍ନଟ ହୋଇଥିଲେ। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ୁଥିବାରୁ ଧୀରେ ଧୀରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବା ରେକର୍ଡ଼ କହୁଛି। ଗର୍ଭବତୀ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ତାଙ୍କୁ ୬ମାସ ପର୍ଯ୍ୟନ୍ତ ଔଷଧ ଖାଇବା ପାଇଁ ଦିଆଯାଇଥାଏ।
ଯଦି ସେ ଠିକ୍ ଭାବେ ୬ମାସ ପର୍ଯ୍ୟନ୍ତ ରୋଗୀ ଜଣଙ୍କ ଔଷଧ ଖାଇଥିବେ ତେବେ ପ୍ରସବ ପରେ ଶିଶୁ ଏଚ୍ଆଇଭି ସଂକ୍ରମିତ ହେବାର ଆଶଙ୍କା ୫ ପ୍ରତିଶତରୁ ମଧ୍ୟ କମ୍ ରହିଥାଏ। ଏଣୁ ଗର୍ଭଧାରଣ କ୍ଷଣି ଏଚ୍ଆଇଭି ପରୀକ୍ଷା କରିବା ପାଇଁ ଜିଲ୍ଲା ଏଡ୍ସ ସେଲ୍ର ଅଧିକାରୀ ହେମନ୍ତ କୁମାର ଦାଶ କହିଛନ୍ତି।
ଏବେ ନୂତନ ଚିକିତ୍ସାବିଜ୍ଞାନର ସହାୟତାରେ ମା’ ଗର୍ଭରେ ଥିବା ଶିଶୁକୁ ଏଡ୍ସ କବଳରୁ ରକ୍ଷା କରାଯାଇ ପାରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାସନାଲ୍ ଏଡ୍ସ କଣ୍ଟ୍ରୋଲ୍ ସୋସାଇଟି(ନାକୋ) ତରଫରୁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି। ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ତରଫରୁ ଏଡ୍ସ ରୋଗୀଙ୍କୁ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଦାଶ କହିଛନ୍ତି।