କେନ୍ଦୁଝର: ନିଃସନ୍ତାନ ଦମ୍ପତିଙ୍କୁ ଛୁଆ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କାର ଠକେଇ। ଖାଲି ସେତିକି ନୁହେଁ, କାହାକୁ ଛେଳି ତ ଆଉ କାହାକୁ ଗାଈ ଦେବାକୁ କହି ମଧ୍ୟ ଠକି ନେଇଛି ‘ବାତ୍ସଲ୍ୟ ଏମ୍ପାୟାର’ ନାମକ ଏକ ସଂସ୍ଥା। ଆଜି ଶତାଧିକ ମହିଳା ଏ ସଂପର୍କରେ କେନ୍ଦୁଝର ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଭେଟି ଫେରାଦ ଦେଇଛନ୍ତି। କେନ୍ଦୁଝର ସଦର ବ୍ଲକର ପଦ୍ମପୁରଠାରେ ଥିବା ବାତ୍ସଲ୍ୟ ଏମ୍ପାୟାରର ମୁଖ୍ୟ ହେଉଛନ୍ତି ଅଙ୍କିତ ବାରିକ। ଗତ ଦୁଇବର୍ଷ ଧରି ଏହି ସଂସ୍ଥା ବିଭିନ୍ନ ଆଦିବାସୀ ଗ୍ରାମରେ ମହିଳା ସମିତିର ସଭା ଆୟୋଜନ କରି ସେମାନଙ୍କୁ ଛେଳି ଓ ଗାଈ ଋଣ ଦେବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲା। ଏହାପରେ ସେମାନଙ୍କଠାରୁ ୩୦ ହଜାର ଲେଖାଏଁ ଟଙ୍କା ନେଇଥିଲା। ଜିଲ୍ଲାର ଝୁମ୍ପୁରା, ବାଂଶପାଳ, ପାଟଣା, ସଦର ଆଦି ବ୍ଲକର ଶହ ଶହ ମହିଳାଙ୍କଠାରୁ ଏଭଳି ଟଙ୍କା ନେବା ପରେ କିଛି ନିଃସନ୍ତାନ ମହିଳାଙ୍କୁ ମଧ୍ୟ ପ୍ରଲୋଭିତ କରି ଛୁଆ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ନେଇଛି। ବର୍ଷ ବର୍ଷ ଧରି ଏହି ନିଃସନ୍ତାନ ମହିଳାଙ୍କୁ ଛୁଆ ଦେବାରେ ବିଫଳ ହେବା ପରେ ଟଙ୍କା ଫେରସ୍ତ କରି ନ ଥିଲା।
ପଳାଶପଙ୍ଗ ନିକଟ ଜାମୁଡିହା ଗ୍ରାମର ସୁରେଶ ପ୍ରଧାନ ଓ ପତ୍ନୀ ପ୍ରମିଳା ପ୍ରଧାନ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଦର୍ଶାଇଛନ୍ତି ଯେ ଉଭୟ ପତିପତ୍ନୀ ସନ୍ତାନଟିଏ ପାଇବା ପାଇଁ ଅନେକ ଚେଷ୍ଟା କରି ବିଫଳ ହେବା ପରେ ବାତ୍ସଲ୍ୟ ଏମ୍ପାୟାରର ମାଲିକ ଅଙ୍କିତ ବାରିକଙ୍କ ସଂପର୍କରେ ଆସିଥିଲେ। ସେ ମେଡିକାଲରୁ ଛୁଆ ଆଣିଦେବାକୁ କହି ପ୍ରଥମେ ଦେଢ଼ଲକ୍ଷ ଟଙ୍କା ନେଇଥିଲା। ଆଜି ପର୍ଯ୍ୟନ୍ତ ଛୁଆ ନ ଦେବାରୁ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେହିପରି ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଧଳାଡିହି ଗ୍ରାମର ୨୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ଛେଳି ଓ ଗାଈ ଦେବାକୁ କହି ଏହି ସଂସ୍ଥା ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ବାଂଶପାଳ ବ୍ଲକର ବିନିଦା ଗ୍ରାମର ମଧ୍ୟ ୨୦ରୁ ଊର୍ଦ୍ଧ୍ବ ମହିଳା ଆଜି ଏଭଳି ଅଭିଯୋଗ କରିଛନ୍ତି। ସଦର ବ୍ଲକର ବିଭିନ୍ନ ଗ୍ରାମର ମହିଳାମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସଂପୃକ୍ତ ଥାନା ଅଧିକାରୀଙ୍କୁ ଏସ୍ପି ଜୟନାରାୟଣ ପଙ୍କଜ ନିର୍ଦେଶ ଦେଇଛନ୍ତି।