ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍(ଏସ୍ଇଜେଡ୍)ରେ ତିପାକ୍ଷିକ ବୈଠକରେ ହୋଇଥିବା ସର୍ତ୍ତର ଖିଲାପ କରି ବିନା ସୂଚନାରେ ପାଚେରି ନିର୍ମାଣକୁ ବିରୋଧ ଏବଂ ଲାଗି ରହିଥିବା ଉତ୍ତେଜନା ଆଜି ହିଂସାତ୍ମକ ମୋଡ଼ ନେଇଛି। କାଳିପଲ୍ଲୀ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ବାହିନୀକୁ ଲାଠିଚାଳନା କରିବାକୁ ପଡ଼ିଛି। ଏପରିକି କିଛି ମହିଳାଙ୍କ ସମେତ ୨୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇଛି।
ଏହି ଅଞ୍ଚଳରେ ଟାଟା ଇସ୍ପାତ କାରଖାନା ନିର୍ମାଣ କରିବାକୁ ପୂର୍ବରୁ ଜମି ଅଧିଗ୍ରହଣ କରିଥିଲା। ସଂପ୍ରତି ଆବଶ୍ୟକ ପଡ଼ୁ ନଥିବା କାଳିପଲ୍ଲୀ ମୌଜାର ୨୦୬ ଏକର ୬୮୫ ଡେସିମିଲ୍ ଜମିକୁ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣୁ ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଇଡ୍କୋ ଦ୍ବାରା ଅଧିକୃତ ବାକି ଇଲାକାରେ ପାଚେରି ନିର୍ମାଣ କାମ ଗତକାଲି ଠାରୁ ଆରମ୍ଭ ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ବିରୋଧ ଆରମ୍ଭ କରିଥିଲେ। ଗାଁରେ ବୈଠକ ମଧ୍ୟରେ ଡାକିଥିଲେ।
ତେବେ ବୁଧବାର ସକାଳେ ପୁଲିସ ଫୋର୍ସ ଉପସ୍ଥିତିରେ ପାଚେରି ନିର୍ମାଣ ହେଉଥିବା ଜାଣିବା ପରେ ଗ୍ରାମବାସୀଙ୍କ ଭିତରେ କୁହୁଳିଥିବା ଅସନ୍ତୋଷ ଉଗ୍ର ରୂପ ନେଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କାଳିପଲ୍ଲୀ ମୌଜାର ୨୦୬ ଏକର ଜମିର ଡି-ନୋଟିଫିକେସନ୍ ହୋଇ ନଥିବା ସହ ଠିକ୍ ଭାବେ ସର୍ଭେ କରି ନଥିବା ଓ ଉତ୍ତରାଧିକାରୀଙ୍କୁ ପଟ୍ଟା ଦିଆଯାଇ ନଥିବା ଅଭିଯୋଗ ଆଣି ଶତାଧିକ ମହିଳା ଓ ପୁରୁଷ ସେଠାରେ ପହଞ୍ଚି ଯାଇଥିଲେ। ପୁଲିସ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଫଳରେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆଉ ପୁଲିସକୁ ବାଧ୍ୟ ହୋଇ ଲାଠିଚାଳନା କରିବାକୁ ପଡ଼ିଥିଲା।
ଖବର ମିଳିବା ସୁଦ୍ଧା, ଘଟଣାସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର, ଗଞ୍ଜାମ ବିଡିଓ ଯସ୍ମିନ୍ କୁମାର ପ୍ରଧାନ ପ୍ରମୁଖ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ରହିଥିବା ବେଳେ ଗଞ୍ଜାମ ପୁଲିସର ୨ ଜଣ ଅତିରିକ୍ତ ଏସ୍.ପି., ୬ଜଣ ଡିଏସ୍ପି, ୧୮ ଜଣ ଇନ୍ସପେକ୍ଟର ଓ ୨୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ ସ୍ମାର୍ଟକେମ୍ ଟେକ୍ନୋଲଜି ଲିମିଟେଡ୍ ସାର ପ୍ରକଳ୍ପର କୌଣସି ନିର୍ମାଣ କାମ ଚାଲୁନି। ଟାଟା ପକ୍ଷରୁ କେବଳ ପାଚେରି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ କମ୍ପାନି କର୍ତ୍ତୃପକ୍ଷ ପୁଲିସର ସହଯୋଗ ଲୋଡ଼ିଛନ୍ତି। ତଥାପି କାଳିପଲ୍ଲୀ ଗ୍ରାମବାସୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସକୁ ଠେଲାପେଲା କରି ଆଇନକୁ ହାତକୁ ନେଇଛନ୍ତି ବୋଲି ଗଞ୍ଜାମ ଅତିରିକ୍ତ ଏସ୍.ପି.’ପି.କେ.ଦଳାଇ କହିଛନ୍ତି।
ସେହିପରି ଆନ୍ଦୋଳନକାରୀଙ୍କ କହିବାନୁସାରେ, ସରକାର ଡି–ନୋଟିଫିକେସନ୍ ହୋଇଥିବା ଘୋଷଣା କରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ୍ ସର୍ଭେ କରାଯାଇ ନଥିବା ସହ ମୂଳପଟ୍ଟା ପ୍ରଦାନ କରାଯାଇନି। ଫଳରେ ଏଭଳି ପରିସ୍ଥିତିରେ ଟାଟାର ପାଚେରି ନିର୍ମାଣ କାମ ସଂପୂର୍ଣ୍ଣ ବେଆଇନ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଉଚିତ ସର୍ଭେ ହେଉ। ଏହାପରେ ପାଚେରି ନିର୍ମାଣ କରିବା କଥା ଚିନ୍ତା କରିବେ। ପାଚେରି ନିର୍ମାଣ କାମ ବନ୍ଦ ନହେବା ଯାଏ ଆନ୍ଦୋଳନକୁ ଜୋର୍ଦାର୍ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଫଳରେ ଅଚଳାବସ୍ଥା ଜାରି ରହିଛି।