ଖୋର୍ଧା : ଖୋର୍ଧା ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟରେ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆତ୍ମହତ୍ୟାର କାରଣ ହଠାତ୍ ଜଣାପଡ଼ିନଥିଲେ ସୁଦ୍ଧା ଏକ ଘରୋଇ କମ୍ପାନିର ନିର୍ଯାତନା କିମ୍ବା କୌଣସି ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ସେମାନେ ଏପରି ଚରମ ପନ୍ଥା ଆପଣେଇଥିବା କୁହାଯାଉଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଦମ୍ପତିଙ୍କ ଅପମୃତ୍ୟୁକୁ ନେଇ ନାନା କଥା ଶୁଣାଯାଉଥିବା ବେଳେ ଏହାର ପ୍ରତ୍ୟକ୍ଷଦର୍ଣୀ ଥିବା ସେମାନଙ୍କ ପାଞ୍ଚ ବର୍ଷର ଝିଅ ସମ୍ପୂର୍ଣ୍ଣ ମୂକ ପାଲଟିଯିବା ଘଟଣା ପରିସ୍ଥିତିକୁ ଆହୁରି ହୃଦୟ ବିଦାରକ କରିଦେଇଛି।
ସୂଚନାନୁଯାୟୀ, ଏଠାରେ କୌଣସି ଏକ ଘରୋଇ କମ୍ପାନିରେ କାମ କରୁଥିବା କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ପଥୁରିପଡ଼ାର ସୌମ୍ୟକାନ୍ତ ପଟ୍ଟନାୟକ (୩୮) ନିଜ ପତ୍ନୀ ଶୁୁଚିସ୍ମିତା ପଟ୍ଟନାୟକ(୩୩) ଏବଂ ପାଞ୍ଚବର୍ଷର ଝିଅ ସହ ଠେଙ୍ଗାହାଟରେ ରହୁଥିଲେ। ତେବେ ଆଜି ସନ୍ଧ୍ୟାରେ ସେମାନେ ରହୁଥିବା ଗୋଟିଏ ଘରର ସିଲିଂ ଫ୍ୟାନ୍ରେ ବେକରେ ଲୁଗା ଗୁଡ଼େଇ ସୌମ୍ୟକାନ୍ତ ଝୁଲିପଡ଼ିଥିବା ବେଳେ ଅନ୍ୟ ଏକ ଘରେ ଶୁଚିସ୍ମିତା ମଧ୍ୟ ଅନୁରୂପ ଭାବେ ନିଜ ଶାଢ଼ିକୁ ବେକରେ ଗୁଡ଼େଇ ଫ୍ୟାନ୍ରେ ଝୁଲୁଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ସେମାନଙ୍କ ଝିଅ ତା’ ବଡ଼ବାପାଙ୍କୁ ଫୋନ୍ରେ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ଖବର ପାଇ ଖୋର୍ଧାଏସ୍ଡିପିଓ ଯୁଗଳ କିଶୋର ଦାସ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଶବ ଦୁଇଟିକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଆସନ୍ତାକାଲି ବ୍ୟବଚ୍ଛେଦ ହେବା ସହ ପୁରୀରୁ ସାଇଣ୍ଟିଫିକ ଦଳ ଆସି ଘଟଣାର ତଦନ୍ତ କରବ ବୋଲି ଜଣାଯାଇଛି।