ସୋର/ନୀଳଗିରି: ସାପକାମୁଡ଼ାରେ ଆଜି ବାଲେଶ୍ବର ଜିଲ୍ଲା ସୋର ଓ ନୀଳଗିରି ଅଞ୍ଚଳରେ ୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୩ବର୍ଷର ନାବାଳିକା ଥିବା ବେଳେ ଅନ୍ୟ ଦୁଇଜଣ ନାବାଳକ। ଏହାଛଡ଼ା ସୋର ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିଭିନ୍ନ ଗ୍ରାମରୁ ଆଜି ୧୫ରୁ ଅଧିକ ପୁରୁଷ, ମହିଳାଙ୍କୁ ସାପ କାମୁଡ଼ିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

Advertisment

ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ନିରଞ୍ଜନ ମହାନ୍ତିଙ୍କ ଝିଅ ବିଜୟଲକ୍ଷ୍ମୀ ମହାନ୍ତି (୧୩)ଙ୍କ କାନ୍ଧକୁ ଗତକାଲି ବିଳମ୍ବିତ ରାତିରେ ଏକ ରଣା ସାପ କାମୁଡ଼ି ଦେଇଥିଲା। ପରିବାରଲୋକେ ଝିଅକୁ ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଦେଖି ଡାକ୍ତର ବାଲେଶ୍ୱର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ବାଟରେ ଉତ୍ତରେଶ୍ୱର ନିକଟରେ ଝିଅ ଶରୀର ଅବଶ ହୋଇଯିବା ଦେଖି ପରିବାରଲୋକ ପୁଣି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମାଣତ୍ରୀ ପଞ୍ଚାୟତ ରଙ୍ଗପତି ଗ୍ରାମର ଶ୍ରୀକାନ୍ତ ସାନ୍ତରାଙ୍କ ପୁଅ ମହାବୀର ସାନ୍ତରା (୧୦)ଙ୍କୁ ଏକ ଚିତି ସାପ କାମୁଡ଼ିଥିଲା। ପରିବାରଲୋକେ ପ୍ରଥମେ ସୋର ଡାକ୍ତରଖାନା ଓ ସେଠାରୁ ବାଲେଶ୍ୱର ବଡ଼ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ନୀଳଗିରି ବ୍ଲକ୍‌ ଛତ୍ରପୁର ପଞ୍ଚାୟତ କାଦୁଆଣୀ ଗ୍ରାମର ସୁରେନ୍ଦ୍ର ପୋଥାଳଙ୍କ ପୁଅ ହରୀଶ ଚନ୍ଦ୍ର ପୋଥାଳ (୧୩)ଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଆଜି ସକାଳେ ହରିଶଚନ୍ଦ୍ର ବାଡ଼ିକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ ଦଂଶନ କରିଥିଲା। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ତାଙ୍କୁ ବାଇକ୍‌ରେ ବରହମପୁର ଡାକ୍ତରଖାନା ନେଇ ଯାଇଥିଲେ। ପରେ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।