ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ପୁଣି ଆତଙ୍କ ଖେଳାଇଛି। ଏକାବେଳେ ୪ଟି ମଇଁଷି ଶିକାର କରିଛି। ଗୋଟିଏକୁ ସଂପୂର୍ଣ୍ଣ ଖାଇଯାଇଛି। ଦୁଇଟିକୁ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ଅଟେଇ ପାର୍ଶ୍ବବର୍ତ୍ତୀ ଗାଁଗୁଡ଼ିକରେ କୋକୁଆଭୟ ଖେଳିଯାଇଛି। ପରିସ୍ଥିତିକୁ ଦେଖି ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜଙ୍କ ସମେତ ପୂରା ବନ ବିଭାଗ ଟିମ୍ ଘଟଣାସ୍ଥଳକୁ ଯାଇ ତନାଘନା କରିଛନ୍ତି।
ଘଟଗାଁ ରେଞ୍ଜର ପ୍ରଭାତ କୁଅଁରଙ୍କ ସୂଚନା ଅନୁସାରେ, ଘଟଗାଁ ରେଞ୍ଜ ବାଇଗଣପାଳ ଫରେଷ୍ଟ ବିଟ୍ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମର ଶୁକଦେବ ବାରିକଙ୍କ ମଇଁଷି ଗୋଠ ଗତ ୨୪ ତାରିଖରେ ବାଡ଼ିପଟ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ଏହି ଗୋଠରେ ୨୮ଟି ମଇଁଷି ଥିଲେ। ବର୍ଷା ଓ ପବନ ଯୋଗୁଁ ମଇଁଷି ଗୋଠ ରାତି ୧୦ଟା ବେଳେ ଘରକୁ ଫେରିଥିଲେ। ହେଲେ ଗୋଠରେ ୪ଟି ମଇଁଷି କମ୍ ଥିଲେ। ପରଦିନ ସକାଳେ ଶୁକଦେବ ଖୋଜାଖୋଜି କରିଥିଲେ। ଘରଠାରୁ ତିନି କିମି ଦୂର ସଂରକ୍ଷିତ ଜଙ୍ଗଲର ଏକ ନାଳ ନିକଟରେ ମଇଁଷିଗୁଡ଼ିକର ମୃତଦେହ ପଡ଼ିଥିଲା। ଗୋଟିଏ ଛୋଟ ମଇଁଷିକୁ ବାଘ ଶିକାର କରି ସମ୍ପୂର୍ଣ୍ଣ ଭାବେ ଖାଇ ଦେଇଥିଲା। ଏନେଇ ଶୁକଦେବ ବନ ବିଭାଗକୁ ଖବର ଦେଇଥିଲେ। ପରେ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଡିଏଫ୍ଓଙ୍କୁ ରିପୋର୍ଟ ଦେଇଥିଲେ। ଆଜି ଡିଏଫ୍ଓ ଏଚ୍ଡି ଧନରାଜ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମଇଁଷି ମାଲିକ ଶୁକଦେବଙ୍କୁ ବନ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବାଘର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ମଇଁଷି ମୃତଦେହ ନିକଟରେ କ୍ୟାମେରା ଲଗାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣା ପରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ବାଇଗଣପାଳ, ବଡ଼ଜାମୁପଶି, ନଳବିଲା, କୁଣ୍ଡାପିଠା, ରେଙ୍ଗାଲବେଡ଼ା, ଅର୍ଜୁନବିଲା, ମୁର୍ଗାପାହାଡ଼ି, ଦେହୁରୀପଶି, କୁସୁନପୁର ଗ୍ରାମର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ସଂଯୋଗ କରିଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି। ସୂଚନାଯୋଗ୍ୟ, ପାଟଣା ରେଞ୍ଜରେ ଦୁଇଟି ଏବଂ ଘଟଗାଁରେ ରେଞ୍ଜରେ ଦୁଇଟି ମଇଁଷିଙ୍କ ମୃତ୍ୟୁ ପରେ ଅଟେଇ ଜଙ୍ଗଲରେ ମହାବଳ ବାଘ ଥିବା ସନ୍ଦେହ କରାଯାଇଥିଲା। ବନ ବିଭାଗ ବାଘକୁ ଠାବ କରିବା ପାଇଁ ୪୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। କାଦବାହାଳୀ ନିକଟରେ ଲାଗିଥିବା କ୍ୟାମେରାରେ ମହାବଳ ବାଘର ଫଟୋ କଏଦ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Royal_Bengal_Tiger.jpeg)