ନୟାଗଡ଼: ନୟାଗଡ଼ର ଚାରି ବିଧାନସଭା ଆସନ ପାଇଁ ବିଜେପି ଟିକେଟ୍ ଘୋଷଣା କରିସାରିଛି। ସମସ୍ତଙ୍କୁ ଚକିତ କରି ଦଳ ଚାରିଟିଯାକ ଆସନରେ ନୂଆ ମୁହଁକୁ ସୁଯୋଗ ଦେଇଥିବାରୁ ପୁରୁଖା ନେତାମାନେ ବାଦ୍ ପଡ଼ିଛନ୍ତି। ରଣପୁର ବିଧାନସଭା ଆସନରେ ଭେଟେରାନ୍ ସୁରମା ପାଢ଼ୀଙ୍କର ଟିକେଟ୍ କଟିଯାଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ଟିକେଟ୍ ପ୍ରଦାନ କରିଛି। ସେହିପରି ଦଶପଲ୍ଲାରେ ରାଘବ ମଲ୍ଲିକ ଓ ଖଣ୍ଡପଡ଼ାରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ବିଧାୟକ ପଦବି ପାଇଁ ଲଢ଼ିଥିବା ଦୁଷ୍ମନ୍ତ ସ୍ବାଇଁଙ୍କୁ ଦଳ ଭରସା କରିଛି। ନୟାଗଡ଼ରେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେପି ପ୍ରାର୍ଥୀ ହୋଇଛନ୍ତି।
ବିଜେପି ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ପତ୍ନୀ ନିର୍ମଳା ବେହେରା ଏବେ ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଛନ୍ତି। ଅନ୍ୟପଟେ ୨୦୦୪ରୁ ଲଗାତର ଦଳୀୟ ଟିକେଟ୍ରେ ଲଢ଼ୁଥିବା ସୁରମା ଗତ ପଞ୍ଚାୟତ ଓ ଏନ୍ଏସି ନିର୍ବାଚନରେ ସେ ବେଶ୍ ସକ୍ରିୟ ଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ଖୁବ୍ କମ୍ ଭୋଟ୍ ବ୍ୟବଧାନରେ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କଠାରୁ ହାରି ଯାଇଥିଲେ। ଏଣୁ ଏଥର ତାଙ୍କୁ ପୁଣି ଥରେ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିବା ବେଳେ ତାପସଙ୍କୁ ପ୍ରାର୍ଥୀ କରି ଦଳ ସମସ୍ତଙ୍କୁ ଚକିତ କରିଦେଇଛି। ସେହିପରି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ଦୁଷ୍ମନ୍ତ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରେ ବିଜେପିରେ ମିଶିଥିଲେ।
ଏଥର ଦଳ ତାଙ୍କୁ ଟିକେଟ୍ ପ୍ରଦାନ କରିଥିବା ବେଳେ ରାଜ୍ୟ ଯୁବ ସଭାପତି ଅଭିଳାଶ ପଣ୍ଡା, ଚିନ୍ମୟୀ ଦାସ ଓ ସିଦ୍ଧାର୍ଥ ଶେଖର ସିଂହଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାସହ ଦଶପଲ୍ଲାରେ ଗତ ସାଧାରଣ ନିର୍ବାଚନ ଲଢ଼ିଥିବା ପୂର୍ଣ୍ଣଚନ୍ଦ୍ର ନାୟକ, ଇନ୍ଦୁମତୀ ନାୟକ ଓ ନୂତନ ଭାବେ ଦଳରେ ଯୋଗ ଦେଇଥିବା ରବୀନ୍ଦ୍ର ସେଠୀ ପ୍ରମୁଖ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ମାତ୍ର ଦଳ ନୂଆ ମୁହଁ ଭାବେ ରାଘବ ମଲ୍ଲିକଙ୍କୁ ଟିକେଟ୍ ପ୍ରଦାନ କରିଛି। ଦଳୀୟ ଟିକେଟ୍ ମିଳିବା ପରେ ପ୍ରାର୍ଥୀମାନେ ବେଶ୍ ଖୁସି ହୋଇଯାଇଛନ୍ତି ସତ। ମାତ୍ର ଏହି ପୁରୁଖା ନେତାମାନଙ୍କର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dgjjgjdgdgj.jpg)