ରାଉରକେଲା : ସହରର ଓ ଏହାର ଆଖପାଖ କିଛି ପେଟ୍ରୋଲ ପମ୍ପରେ ପାଣି ମିଶା ତେଲ ବିକ୍ରି ହେଉଥିବା ଗାଡ଼ିଚାଳକମାନେ ଅଭିଯୋଗ କରିଛନ୍ତି। ଯାହାକୁ କେନ୍ଦ୍ର କରି ଅଧିକାଂଶ ସମୟରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଓ ଗାଡ଼ିଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ପେଟ୍ରୋଲ ପମ୍ପମାଲିକମାନେ କଥାକୁ ସ୍ବୀକାର କରିବା ପରିବେର୍ତ୍ତ ଓଲଟା ଗାଡ଼ିଚାଳକଙ୍କୁ ଗାଳିଗୁଲଜ କରୁଛନ୍ତି।
ଗତକାଲି ବେଦବ୍ୟାସ ଟିସିଆଇ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଘଟିଥିଲା। ପାଣି ମିଶା ତେଲ ପଡ଼ିଥିବାରୁ କାର୍ ଚାଲିନଥିଲା। ତେଲ ପକାଇଥିବା କାର୍ ମାଲିକ ଏ ସଂକ୍ରାନ୍ତରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ପଚାରିଥିଲେ ହେଁ ସେ ରୋକ୍ଠୋକ୍ ମନା କରିଦେଇଥିଲେ। କେବଳ ଟିସିଆଇ ନୁହେଁ ବେଦବ୍ୟାସ ଓ ରାଉରକେଲା ସହରରେ ଅଧିକାଂଶ ସମୟରେ ଏଭଳି ପାଣିମିଶା ତେଲ ବାହାରୁଛି। ଯୋଗାଣ ବିଭାଗ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଗାଡ଼ିଚାଳକମାନେ କହିଛନ୍ତି। ଯୋଗାଣ ବିଭାଗ ଏଭଳି ବେଆଇନ କାମ କରୁଥିବା ପେଟ୍ରୋଲ ପମ୍ପଗୁଡ଼ିକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।