ଢେଙ୍କାନାଳ: ଢେଙ୍କାନାଳ ସହର କାରିଗରସାହିରେ ଚାରି ମାସ ତଳେ ଘଟିଥିବା ହତ୍ୟାକାଣ୍ଡରେ ମୃତ ଟିଟନ୍ଙ୍କ ନାବାଳିକା ଝିଆରୀଙ୍କୁ ଆଜି ୫ ଜଣ ଦୁର୍ବୃତ୍ତ ଏକ କାର୍ରେ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସିଆସି ପରିବାରକୁ ଜଣାଇଥିଲେ। ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିବା ବେଳେ ଏ ସମ୍ପର୍କରେ ପରିବାରଲୋକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, କାରିଗରସାହିର ସମ୍ପୃକ୍ତ ନାବାଳିକା ସ୍ଥାନୀୟ ଅଞ୍ଚଳର ଏକ ବିଦ୍ୟାଳୟରେ ପଢ଼ନ୍ତି। ତାଙ୍କ କହିବା ଅନୁଯାୟୀ, ସେ ସକାଳେ ବିଦ୍ୟାଳୟକୁ ଯାଉଥିଲେ। ବାଟରେ ମଙ୍ଗଳା ମନ୍ଦିର ନିକଟରେ ଏକ କାର୍ ଭିତରେ ବସିଥିବା ଜଣେ ଯୁବତୀ ହାତ ଖରାପ ଥିବାରୁ କାର୍ର ଡୋର୍ ଖୋଲିଦେବାକୁ କହିଥିଲେ। ନାବାଳିକାଜଣଙ୍କ କାର୍ର ଡୋର୍ ଖୋଲୁଥିବା ବେଳେ କେତେକ ଯୁବକ ଆସି ତାଙ୍କୁ ଜୋର୍ ଜବରଦସ୍ତ କାର୍ ଭିତରେ ପୂରାଇ ଅପହରଣ ଉଦ୍ୟମ କରିଥିଲେ। ସମସ୍ତେ ମାସ୍କ ପିନ୍ଧିଥିଲେ। ତେବେ ଛାତ୍ରୀଜଣକ କୌଶଳକ୍ରମେ ସେମାନଙ୍କ କବଳରୁ ଖସିଆସିବାରେ ସକ୍ଷମ ହୋଇଥିଲେ। ଟଣାଓଟରା ଯୋଗୁଁ ନାବାଳିକାଙ୍କର ହାତ ଓ ବେକ ଖଣ୍ଡିଆ ହୋଇଛି। ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମ କଲାବେଳେ ସେମାନେ ମୃତ ଟିଟନ୍ଙ୍କ ସମ୍ପର୍କରେ କହୁଥିବା ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପରିବାର ଲୋକଙ୍କ ସହ ସମ୍ପୃକ୍ତ ନାବାଳିକା ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ନ୍ୟାୟ ଦାବି କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଅଭିଯୋଗ ପାଇବା ପରେ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ପ୍ରକାଶଥାଉକି, କାରିଗରସାହିର ମହେଶ୍ୱର ବେହେରା ଓରଫ ଟିଟନ୍ଙ୍କୁ ଗତ ଏପ୍ରିଲ ୨୦ ତାରିଖରେ ଗୁଳି କରିବା ସହ ପଥରରେ ଛେଚି ହତ୍ୟା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇନାହାନ୍ତି। ଘଟଣାକୁ ନେଇ ମୃତ ଟିଟନ୍ଙ୍କ ପତ୍ନୀ ଗତ ମାସ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ମୃତକଙ୍କ ଝିଆରୀଙ୍କୁ ଅପହରଣ ଉଦ୍ୟମକୁ ନେଇ ପରିବାର ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।
ଏ ସମ୍ପର୍କରେ ଟାଉନ୍ ଥାନା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି ଯେ, ନାବାଳିକା ଅପହରଣ ଉଦ୍ୟମ ଅଭିଯୋଗ ପାଇବା ପରେ ୫୦୪/୨୫ରେ ଏକ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯିବା ସହ ବିଭିନ୍ନ ସଂଯୋଗକାରୀ ରାସ୍ତାଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ତେବେ ଦର୍ଶାଯାଇଥିବା ସମୟରେ ସେଭଳି କୌଣସି କାର୍ ସମ୍ପୃକ୍ତ ଅଞ୍ଚଳକୁ ଯାଇଥିବା କିମ୍ବା ଆସିଥିବା ଯାଞ୍ଚରୁ ଜଣାପଡ଼ିନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/28/gkdgjjdgdgj-2025-07-28-23-44-50.jpg)