ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ଓ ଯାନବାହନ କ୍ଷେତ୍ରରେ ଆର୍ଟିଓ ପକ୍ଷରୁ ସ୍ମାର୍ଟକାର୍ଡ ପ୍ରଦାନ ବ୍ୟବସ୍ଥାକୁ ଓଡ଼ିଶା ସରକାର ପୁନଃ ପ୍ରଚଳନ କରନ୍ତୁ। ଏ ସମ୍ବନ୍ଧିତ ପ୍ରମାଣପତ୍ରରେ ସମାନତା ଆଣିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସାରା ଦେଶରେ ଫିଜିକାଲ୍ ସ୍ମାର୍ଟକାର୍ଡକୁ ବାଧ୍ୟତାମୂଳକ କରିଛନ୍ତି। ତେଣୁ ଓଡ଼ିଶା ଏଥିରେ ବ୍ୟତିକ୍ରମ ନ କରୁ ବୋଲି ଆଜି ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଜାତୀୟ ସଡ଼କ ସୁରକ୍ଷା ପରିଷଦର ସଦସ୍ୟ କମଲ ସୋଇ କହିଛନ୍ତି।
ଶ୍ରୀ ସୋଇ କହିଛନ୍ତି ଯେ ଦେଶର ଅଧିକାଂଶ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ହୋଇପାରିନାହିଁ। ସେହିପରି ଅଧିକାଂଶ ଲୋକ ଇଣ୍ଟରନେଟ୍ର ବ୍ୟବହାର ମଧ୍ୟ ଶିଖି ନାହାନ୍ତି କି ସେମାନଙ୍କ ପାଖେ ସ୍ମାର୍ଟଫୋନ୍ ନାହିଁ। ତେଣୁ ଡିଜିଟାଲ କାର୍ଡର ବ୍ୟବହାର ସେମାନଙ୍କ ପକ୍ଷେ ଏକ ଅସମ୍ଭବ ବ୍ୟାପାର। ଏହାସହ ସେମାନଙ୍କ ଅଜ୍ଞତାର ସୁଯୋଗ ନେଇ କେହି ତାଙ୍କ ଡାଟା ମଧ୍ୟ ଚୋରି କରି ନେଇପାରେ।