ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜାନୁଆରି ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୂଳିଆରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋ ଚାଲିବ। ଏଥିପାଇଁ ହୋଇଥିବା ୫୯୨୯.୩୮କୋଟି ଟଙ୍କାର ବ୍ୟୟ ଅଟକଳକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ କାମ ୪ବର୍ଷରେ ଶେଷ ହେବାକୁ ନିଷ୍ପତ୍ତି ହୋଇଛି। ଏନେଇ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି)କୁ 'ଟର୍ଣ୍ଣ-କି କନସଲଟାଣ୍ଟ' ଭାବେ ନିଯୁକ୍ତି ଦିଆଯାଇଛି। ଅର୍ଥାତ୍ ଭୁବନେଶ୍ବର ମେଟ୍ରୋ ରେଳ ନିଗମର ତତ୍ତ୍ବାବଧାନରେ ଡିଏମ୍ଆର୍ସି ଏହି ପ୍ରକଳ୍ପ ପାଇଁ ସମସ୍ତ ଡିଜାଇନ୍ ପ୍ରସ୍ତୁତ କରିବା ସହ ଏହାର ତଦାରଖ କରିବ। ଏଥିପାଇଁ ଡିଏମ୍ଆର୍ସିକୁ ରାଜ୍ୟ ସରକାର ୩୨୬କୋଟି ୫୬ଲକ୍ଷ ଟଙ୍କା ଦେବେ। ଏ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପୂର୍ବରୁ ଡିଏମ୍ଆର୍ସି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ସର୍ଭେ କରିବା ସହ ଏହାର ଡିପିଆର୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି। ଏଥିରେ ଦର୍ଶାଯାଇଛି ଯେ ଭୁବନେଶ୍ବରରୁ ତ୍ରିଶୂଳିଆ ମଧ୍ୟରେ ମୋଟ୍ ୨୬ କିମି ମଧ୍ୟରେ ୨୦ଟି ମେଟ୍ରୋ ରେଳ ଷ୍ଟେସନ କରାଯିବ। ସୁଉଚ୍ଚ ଓଭରବ୍ରିଜ୍ ଉପରେ ଏହି ରେଳ ଧାରଣା ବିଛାଯିବ। ଏଥିରେ ଅତ୍ୟାଧୁନିକ ରେଳ କୋଚ୍ ଚାଲିବ, ଅତ୍ୟାଧୁନିକ ଟିକଟ୍ ବ୍ୟବସ୍ଥା ଓ ସିଗନାଲ୍ ବ୍ୟବହାର କରାଯିବ।
ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପରୋକ୍ତ ନିଷ୍ପତ୍ତି ସହ ମୋଟ୍ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜଧାନୀ ଓ ଏହା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ଓ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ୨୦୧୪-୧୫ ଆର୍ଥିକ ବର୍ଷ ସୁଦ୍ଧା ୧୯୬୧.୪୬କୋଟି ଖର୍ଚ୍ଚ କରାଯିବ। ପୂର୍ବରୁ ୨୦୧୫-୧୬ରେ ଏଥିପାଇଁ ୧୪୯୨କୋଟି ଅନୁେମାଦନ ହୋଇଥିଲା। ଆଜି ଆଉ ୪୬୯କୋଟି ୬୯ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଏହି କାମକୁ ଓପିଟିସିଏଲ୍ ଦ୍ବାରା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ସ୍କ୍ରିପ୍ସ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ଦ୍ବାରା କଟକ-ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଚାହିଦା ପୂରଣ କରିବା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟାନ୍ୟ ଶିଳ୍ପାୟନ ମାଧ୍ୟମରେ ରାଜଧାନୀକୁ ଏକ ବିଶ୍ବସ୍ତରୀୟ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ପରିଣତ କରାଯିବ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରିଂ ରୋଡ୍ ନିର୍ମାଣ ପାଇଁ ଡକାଯାଇଥିବା ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏହାଦ୍ବାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିକାଶ ସହ ବ୍ରହ୍ମପୁର ସହରର ଯାତାୟତ ସୁଗମ ହେବ। ୧୨କିମି ୩୦୦ମିଟର ଏହି ରିଂ ରୋଡ୍ ନିର୍ମାଣ କାମ ଦୁଇ ବର୍ଷରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୫୬କୋଟି ୫୧ଲକ୍ଷ ୫୭ହଜାର ୭୫୦ଟଙ୍କା ଖର୍ଚ୍ଚ ହେବ। ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ୍ସ ଏବଂ ଆର୍କେ ଇନଫ୍ରାକ୍ରପ୍ ଏହାକୁ ନିର୍ମାଣ କରିିବେ। ସେହିଭଳି ଗଞ୍ଜାମ ଜିଲ୍ଲାର ଧାରାକୋଟ ବ୍ଲକର ଜାନିଭାଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରାଯିବ। ଏହାଦ୍ବାରା ଗଞ୍ଜାମ ଜିଲ୍ଲାର ୫୨,୬୭୫ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ସହ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିଅନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ ହେବ। ଏହାବ୍ୟତୀତ ୩୨ହେକ୍ଟର ଅଞ୍ଚଳରେ ମାଛ ଚାଷ ସୁବିଧା ପ୍ରଦାନ କରିବ। ଏହି ପ୍ରକଳ୍ପରେ ଜାନିଭାଲିିରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ବିଦ୍ୟୁତ୍ ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ନିର୍ମାଣ କରାଯିବ। ଏଥିପାଇଁ ମୋଟ୍ ୮୬କୋଟି ୫୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୫ବର୍ଷ ବା ୫ଟି ବନ୍ୟା ଋତୁ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୧କୋଟି ଟଙ୍କା ଦିଆଯିବ। ଏହି ପ୍ରକଳ୍ପ ୨ବର୍ଷରେ ଶେଷ ହେବ। ଏ ସମ୍ପର୍କିତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଜଳ ଜୀବନ ମିସନ୍ ଯୋଜନାରେ ବଲାଙ୍ଗୀର ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବ। ଏଥିରେ ସଇଁତଳା ବ୍ଲକ ଅଧୀନରେ ଥିବା ୨୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୧୬ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯୪,୫୫୪ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ କରାଯାଇପାରିବ। ଏଥିପାଇଁ ୩୦୭କୋଟି ୮୭ଲକ୍ଷ ୯୨ହଜାର ୫୦ଟଙ୍କା ଖର୍ଚ୍ଚ ହେବ। କୋୟା ଆଣ୍ଡ କମ୍ପାନି କନଷ୍ଟ୍ରକସନ୍ ଏହାକୁ ଦୁଇ ବର୍ଷରେ ଶେଷ କରିବ। ଏ ସମ୍ପର୍କିତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ସେହିପରି ଆଜି କ୍ୟାବିନେଟ୍ରେ ଓଡ଼ିଶା ବେସାମରିକ ସେବା (ସଂଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର୍ ପରୀକ୍ଷା) ନିୟମାବଳୀ, ୧୯୯୧ର ସଂଶୋଧନ କରାଯାଇଛି। ଏହାଦ୍ବାରା ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ସଂଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର୍ ପରୀକ୍ଷା ମାଧ୍ୟମରେ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଏବଂ ସହକାରୀ ସମୀକ୍ଷକ ଜେନେରାଲ୍ ପଦବିର ପ୍ରତ୍ୟକ୍ଷ ନିଯୁକ୍ତି ହେବ। ଅବକାରୀ କନଷ୍ଟେବଳ ପଦବିକୁ ଜିଲ୍ଲା କ୍ୟାଡର ଏବଂ ଇଆଇ ଓ ଇବି ୟୁନିଟ କ୍ୟାଡରରୁ ଡିଭିଜନ କ୍ୟାଡରକୁ ପରିଣତ କରିବା, ନୂତନ କ୍ୟାଡରରେ ଅବକାରୀ କନଷ୍ଟେବଳଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚଳିତ ନିୟମକୁ ବାତିଲ୍ କରି ନୂତନ କ୍ୟାଡର ନିୟମ 'ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନଷ୍ଟେବଲଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ ୨୦୨୩' ପ୍ରଚଳନ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ବନ ସେବା ଗ୍ରୁପ୍-ଏ (ବରିଷ୍ଠ) (ନିଯୁକ୍ତି ପଦ୍ଧତି ଓ ସର୍ତ୍ତାବଳୀ) ସେବା ସଂଶୋଧନ ନିୟମ, ୨୦୨୩କୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ବାରା ନୂତନ ଭାବେ ସୃଷ୍ଟି କରାଯାଇଥିବା ଅତିରିକ୍ତ ବନସଂରକ୍ଷକ ପଦବି (ଏସ୍ଏସ୍ଜି)କୁ ପୂରଣ କରିବା ନିମନ୍ତେ ସହାୟକ ହେବ।
‘ଆମ ହସ୍ପିଟାଲ୍’କୁ ସମ୍ମତି ମିଳିଲା
ଭୁବନେଶ୍ବର: ସରକାରୀ ଡାକ୍ତରଖାନାଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ପରିଜନଙ୍କ ଡାକ୍ତରଖାନା ରହଣିକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ଆମ ହସ୍ପିଟାଲ' ରୂପାନ୍ତରୀକରଣ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାକୁ ଆଜି କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ରାଜ୍ୟର ୧୮୫୮ଟି ସରକାରୀ ଡାକ୍ତରଖାନାକୁ ୫ବର୍ଷ ଭିତରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ରୂପାନ୍ତରୀକରଣ କରାଯିବ। ୫ ବର୍ଷ ପାଇଁ ଏହି ଯୋଜନାରେ ୩୩୮୮.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି), ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)ରେ ଥିବା ସମସ୍ତ ସରକାରୀ ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ରୂପାନ୍ତରୀକରଣ କରାଯିବ। ଡାକ୍ତରଖାନାରେ ରୋଗୀ ପ୍ରତୀକ୍ଷା ସ୍ଥାନଗୁଡ଼ିକର ଉନ୍ନତୀକରଣ ଓ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହେବ। ରୋଗୀଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟର ସଂଖ୍ୟା ବଢ଼ିବା ସହିତ ସ୍ବଚ୍ଛ ଶୌଚାଳୟ, ବିଭିନ୍ନ ବିଭାଗ ଭିତରେ ଶୀଘ୍ର ଯୋଗାଯୋଗ ପାଇଁ ଆଭ୍ୟନ୍ତରୀଣ ପକ୍କା ରାସ୍ତା ଓ ସେଡ୍ ବ୍ୟବସ୍ଥା କରାଯିବ।
ରୋଗୀଙ୍କ ସହ ଡାକ୍ତରଖାନା ଆସିଥିବା ସହଯୋଗୀଙ୍କ ରହଣି ସୁବିଧା ପାଇଁ ବିଶ୍ରାମ ଗୃହ, ଡାକ୍ତରଖାନା ଭିତରେ ବିଭିନ୍ନ ବିଭାଗ ଓ ଉପଲବ୍ଧ ସେବା କେନ୍ଦ୍ରଗୁଡ଼ିକରେ ସହଜରେ ପହଞ୍ଚିବା ପାଇଁ ବିଲ୍ଡିଂଗୁଡ଼ିକର ସମାନ ଧରଣର ବ୍ରାଣ୍ଡିଂ ଓ ସାଇନେଜ୍ ଲଗାଯିବ। ଜନସଚେତନତା ପାଇଁ ଡିଜିଟାଲ ଡିସପ୍ଲେ ବୋର୍ଡ, ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରିବା ଓ ପାର୍କିଂ ସେଡ୍ ବ୍ୟବସ୍ଥା, ସେବା ପ୍ରଦାନ କରାଯାଉଥିବା ସ୍ଥାନଗୁଡ଼ିକରେ ଭିଡ଼ କମାଇବା ପାଇଁ ଧାଡ଼ି ପରିଚାଳନା ପାଇଁ ରୋଗୀମାନଙ୍କୁ ଡାକିବା ବ୍ୟବସ୍ଥା ବା ପେସେଣ୍ଟ କଲିଂ ସିଷ୍ଟମ୍, ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ସୂଚନାଗୁଡ଼ିକର ଉନ୍ନତ ପରିଚାଳନା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା, ଡାକ୍ତରଖାନାକୁ ଏକାଧିକ ପରିଦର୍ଶନରୁ ଦୂରେଇବା ପାଇଁ ରୋଗୀମାନଙ୍କୁ ଫୋନ୍ରେ ଲାବୋରେଟାରି ରିପୋର୍ଟ ପ୍ରଦାନ ବ୍ୟବସ୍ଥା କରାଯିବ। ଡାକ୍ତରଖାନା ପରିସରରେ ମିସନ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ କରିବା, ରିଆତି ମୂଲ୍ୟରେ ଉତ୍ତମ ଗୁଣାତ୍ମକ ଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଓ ଡାକ୍ତରଖାନାରେ ଏକ ସମାନ ଧରଣର ପ୍ରବେଶ ଦ୍ବାରା ନିର୍ମାଣ କରାଯିବାର ବ୍ୟବସ୍ଥା କରାଯିବ।