ପଡ଼ିଆବାହାଲ : ଦୁଇ ସପ୍ତାହ ହେଲା ଚାରି ଘରିଆ ହାତୀ ଦଳ ଭାଗ ଭାଗ ହୋଇ ଅଞ୍ଚଳରେ ଘୂରି ବୁଲୁଥିବା ଦେଖାଯାଉଛି। ଗୋଟିଏ ଦଳ ନିକଟସ୍ଥ ବାରିବନ୍ଧ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ଗ୍ରାମବାସୀ ହାତୀ ଘଉଡ଼ାଇବା ଉଦ୍ୟମ କରି ବିଫଳ ହେଉଛନ୍ତି। ପ୍ରାଣ ଭୟରେ ଆତଙ୍କିତ ରହୁଛନ୍ତି। ଅନ୍ୟ ଦଲଟି ସାପଲହରା ବାନ୍ଦେନ ଜଙ୍ଗଲ ଅଞ୍ଚଳରେ ସ୍ଥାୟୀ ବାସ କରୁଛନ୍ତି। ସମ୍ପ୍ରତି ଏକ ହାତୀ ଦଳ ବାରିବନ୍ଧ ଅଞ୍ଚଳକୁ ଆସି ସମୀର ପଧାନ ଓ ସରୋଜ ପଧାନଙ୍କ ପ୍ରାୟ ଦୁଇ ଏକର ଜମିର ମାଖନ ଫସଲ ମାଡ଼ିଦଳି, ଖାଇ ନଷ୍ଟ କରିଛନ୍ତି। ରାହାସ ବାରିକ, ପିଣ୍ଟୁ ପଧାନଙ୍କ ଆଳୁ ଫସଲ ଅନିଲ ବାରିକଙ୍କ କୋବି, ନୃପ ସାହୁ ଓ ପ୍ରଦୀପ ସିଂଙ୍କ କଦଳୀ ଗଛ ନଷ୍ଟ କରି ଦେଇଛନ୍ତି। ବାରିବନ୍ଧ ବନ୍ଧରେ ଗାଧୋଇ ପୁରୁଣା ପାଉଚ ପାଚେରି କ୍ଷତିଗ୍ରସ୍ତ କରିଛନ୍ତି।
ଖବର ପାଇ ବନ ବିଭାଗ ପହଞ୍ଚୁଥିଲେ ବି ହାତୀ ମାନେ ଦିଗ ପରିବର୍ତ୍ତନ କରି ଦେଉଥିବାରୁ ଦଶ ଜଣିଆ ଟିମ୍ ନାକେଦମ ହୋଇପଡୁଛନ୍ତି। ଉପଯୁକ୍ତ ଫର୍ମରେ ଅଭିଯୋଗ କରିଥିବା କ୍ଷତିଗ୍ରସ୍ତଙ୍କ ସରକାରୀ ସହଯୋଗ ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଥିବାରୁ କେତେ କେଉଁଠି ଅନୁକମ୍ପା ରାଶି ମିଳିଲା ବନ ବିଭାଗ କର୍ମଚାରୀ ସଠିକ୍ ଜାଣି ପାରୁନଥିବା ଜନୈକ ଫରେଷ୍ଟର କହିଛନ୍ତି। ଏବେ ବନାଗ୍ନି ସମୟ ହୋଇଥିବାରୁ କର୍ମଚାରୀମାନେ ବନ ନିଆଁ ଓ ହାତୀ ଜଗିବା କାମରେ ନୟାନ୍ତ ହୋଇଯାଉଥିବା ମଧ୍ୟ ବିଭାଗୀୟ କର୍ମଚାରୀଙ୍କଠୁ ଶୁଣାଯାଇଛି।