ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାର ସ୍ଥଳ ଭାଗକୁ ଛୁଇଁବା ପୂର୍ବରୁ ବୁଧବାର ୨ଟି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀମାନଙ୍କୁ ନେଇ ହାଓ୍ଵଡା ଅଭିମୁଖେ ବାହାରିଛି। ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୁରୀରୁ ଅପରାହ୍ଣ ୩ଟାରେ ୯୦୦ ଯାତ୍ରୀଙ୍କୁ ନେଇ ହାଓଡା ଅଭିମୁଖେ ଏକ ଟ୍ରେନ ବାହାରିଛି। ସେହିପରି ଆଜି ଅପରାହ୍ଣ ୧ଟା ୫୦ରେ ପୁରୀରୁ ଅନ୍ୟ ଏକ ଟ୍ରେନ ୧୫୦୦ ଯାତ୍ରୀଙ୍କୁ ନେଇ ସାଲିମାର ଅଭିମୁଖେ ବାହାରିଛି।
ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ ୩ ତାରିଖରେ ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଗୁରୁବାର ହେଲପ୍ଲାଇନ୍ ଜାରି କରାଯାଇଛି। ନିମ୍ନରେ ଦିିଆଯାଇଥିବା ହେଲପ୍ଲାଇନ୍ ନମ୍ବର ଜରିଆରେ ଲୋକେ ଟ୍ରେନ୍ ଚଳାଚଳ ଜନିତ ସୂଚନା ପାଇପାରିବେ।
ବାତ୍ୟା ପୂର୍ବରୁ ସରକାରଙ୍କ ତରଫରୁ ସୂଚନା ଜାରି କରାଯାଇଛି। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ ୨୯୫ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।