ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ ମଧ୍ୟ ନିଜ ପ୍ରତିକ୍ରିୟାରେ ଦଳ ତାଙ୍କୁ କୋଣଠେସା କରୁଥିବା ଅଭିଯୋଗ କରିଛନ୍ତି।

Advertisment

ଶ୍ରୀ ଅମାତ ଓଡ଼ିଶା ପ୍ରାଶାସନିକ ସେବାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ସେ ବିଜେପି ଟିକେଟରେ ତଳସରା ବିଧାନସଭା କ୍ଷେତ୍ରରୁ ଲଢ଼ି କଂଗ୍ରେସର ଡ. ପ୍ରଫୁଲ୍ଲ ମାଝୀଙ୍କଠାରୁ ପରାଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ମାର୍ଚ୍ଚରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ସରକାର ତାଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲେ। ପରେ ସେହିବର୍ଷ ପ୍ରତିଷ୍ଠିତ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ଜୁନ୍‌ରେ ନିଯୁକ୍ତ କରାଯାଇଥିଲା। ୨୦୧୮ ଅକ୍ଟୋବରରେ ତାଙ୍କୁ ହଠାତ୍‌ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଦଳ ପକ୍ଷରୁ ନିର୍ଦେଶ ହୋଇଥିଲା।

ସେ ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ୨୦୧୯ ନିର୍ବାଚନରେ ଲୋକସଭା ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହୋଇଥିଲା। ତାଙ୍କ ବଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବଡ଼ଝିଅ ସୁନୀତା ବିଶ୍ବାଳଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏଥର ସୁନ୍ଦରଗଡ଼ ବିଧାନସଭା ହେଉ କି ଲୋକସଭାରୁ ସେ ଲଢ଼ିବାକୁ ଚାହିଁଥିଲେ। ମାତ୍ର, ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଦଳ ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ଲୋକସଭାରେ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡ଼ିଥିବା କୁହାଯାଉଛି।