ପିପିପି ମୋଡ୍ରେ ହେବ ବିକାଶ, ତିଆରି ହେବ ତିନି ମହଲା କୋଠା
୨୫୦ କିମି ବେଗ ପବନକୁ ପ୍ରତିହତ କରିବାର କ୍ଷମତା ରଖିବ କୋଠା
ପୁରୀ : ବିଶ୍ବସ୍ତରୀୟ ରୂପନେବ ପୁରୀ ରେଳଷ୍ଟେସନ୍। ରେଳସେବା କ୍ଷେତ୍ରରେ ପୁରୀ ଅନ୍ତର୍ଜାତୀୟ ଗମନାଗମନର ହେବ ପ୍ରାଣକେନ୍ଦ୍ର। ଦୈନିକ ପ୍ରାୟ ୨୦ହଜାର ରେଳ ଯାତ୍ରୀଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହେବ। ଏହାଦ୍ବାରା ପର୍ଯ୍ୟଟକଙ୍କ ଗମନାଗମନା ସୁବିଧାର ମାର୍ଗ ପ୍ରଶସ୍ତ ହେବନି, ବାଣିଜ୍ୟିକ ଦୃଷ୍ଟିକୋଣରୁ ବି ରେଳ ବିଭାଗ ଲାଭବାନ ହୋଇପାରିବ। କର୍ମନିଯୁକ୍ତିର ବି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ବଡ଼କଥା ହେଉଛି, ରେଳ ଷ୍ଟେସନ୍ର ନବନିର୍ମିତ କୋଠା ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିବ। ପିପିପି(ପବ୍ଲିକ୍-ପ୍ରାଇଭେଟ୍) ମୋଡ୍ରେ ଏହି କାର୍ଯ୍ୟ କରାଯିବ। ପୁରୀ ରେଳ ଷ୍ଟେସନ୍କୁ ନେଇ ଏଭଳି ନୀଳ ନକ୍ସା ଆଙ୍କିଛି ରେଳ ମନ୍ତ୍ରାଳୟ। ପିପିପି ମୋଡ୍ରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୬୧.୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଇତିମଧ୍ୟରେ ଟେଣ୍ଡର(ଇପିସି) ଆହ୍ବାନ ସରିଥିବା ବେଳେ ଆସନ୍ତା ୨୩ ତାରିଖରେ ଟେଣ୍ଡର ପେପର ଖୋଲିବ ବୋଲି ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ରେଳ ବିଭାଗ ସୂଚନା ମୁତାବକ, ପୂର୍ବତନ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ୍ ଅଧୀନରେ ଥିବା ପୁରୀ ରେଳ ଷ୍ଟେସନ୍ ଏନ୍ଏସ୍ଜି-୨ ପର୍ଯ୍ୟାୟ ଷ୍ଟେସନ୍ ଅନ୍ତର୍ଭୁକ୍ତ। ପୁରୀ ରେଳ ଷ୍ଟେସନ୍ର ୮ଟି ପ୍ଲାଟଫର୍ମରେ ମେଲ୍, ଏକ୍ସପ୍ରେସ୍ ଓ ପାସେଞ୍ଜରକୁ ମିଶାଇ ଦୈନିକ ୫୨ଟି ଟ୍ରେନ୍ ଚଳାଚଳ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ପୁରୀ ରେଳଷ୍ଟେସନ୍ ଏକ ବିଶ୍ବପରିଚିତ ସ୍ଥାନ ହୋଇଥିବାରୁ ଏଭଳି ବିକାଶର ପରିକଳ୍ପନା କରାଯାଇଛି। ରେଳ ଭୂମି ବିକାଶ ପ୍ରାଧିକରଣ(ଆର୍ଏଲ୍ଡିଏ) ଏହି ବିକାଶ କାର୍ଯ୍ୟ ହାତକୁ ନେଇଛି।
/sambad/media/post_attachments/wp-content/uploads/2022/06/puri-sss-1-300x147.jpg)
ପ୍ରସ୍ତାବିତ ପ୍ରକଳ୍ପ ଅନୁଯାୟୀ, ଡିଜାଇନ୍, ବିଲ୍ଡ, ଫାଇନାନ୍ସ, ଅପରେଟ୍ ଓ ଟ୍ରାନ୍ସଫର(ଡିବିଏଫ୍ଓଟି) ମଡେଲ୍ରେ ପୁରୀ ରେଳ ଷ୍ଟେସନ୍ର ବିକାଶ କରାଯିବ। ୨୮ହଜାର ୫୭୪ ବର୍ଗ ମିଟର ଜାଗାରେ ଏହି ଉନ୍ନୟନ କାର୍ଯ୍ୟ କରାଯିବ। ରେଳ ଷ୍ଟେସନ୍କୁ ତିନି ମହଲା ବିଶିଷ୍ଟ କରାଯିବ। ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ, ବ୍ୟାଗେଜ୍ ସୁରକ୍ଷା, ଚେକ୍ ଇନ୍ କ୍ଷେତ୍ରର ଆଧୁନିକୀକରଣ ସାଙ୍ଗକୁ ଏକ ସୂଚନା କେନ୍ଦ୍ର ଓ କଳା ଗ୍ୟାଲେରିର ବ୍ୟବସ୍ଥା କରାଯିବ। ରାମ୍ପ, ଲିଫ୍ଟ ସହ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ। ସର୍ବନିମ୍ନ ତିନି ତାରକା ମୂଲ୍ୟାୟନ ବିଶିଷ୍ଟ କୋଠା ସହ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ତଥା ସୋଲାର ସିଷ୍ଟମ ବ୍ୟବସ୍ଥା କରାଯିବ। ବର୍ଷାଜଳ ଅମଳ ଓ ବିନିଯୋଗ ବ୍ୟବସ୍ଥା ରହିବ। ସବୁଜ ନିର୍ମାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ।
ସୂଚନାଯୋଗ୍ୟ, ରେଳ ଭୂମି ବିକାଶ ପ୍ରାଧିକରଣ(ଆର୍ଏଲ୍ଡିଏ) ଦେଶର ୬୦ଟି ରେଳ ଷ୍ଟେସନ୍ର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିବାବେଳେ ଏହାର ସହଭାଗୀ ସଂସ୍ଥା ଭାରତୀୟ ରେଳ ଷ୍ଟେସନ୍ ଉନ୍ନୟନ ନିଗମ(ଆଇଆର୍ଏସ୍ଡିସିସି) ଦେଶର ଅନ୍ୟ ୬୨ଟି ଷ୍ଟେସନ୍ର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଛି।