କଟକ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଅନାସ୍ଥା ପ୍ରସ୍ତାବ ନୋଟିସକୁ ଚାଲେଞ୍ଜ କରି ଭୁବନ ଏନଏସସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪, ନଭେମ୍ବର ୧୨ରେ ଧାର୍ଯ୍ୟ ଅନାସ୍ଥା ପ୍ରସ୍ତାବ ବୈଠକ ବସିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି।
ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ନଭେମ୍ବର ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନ ଏନଏସି ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ବିରୋଧରେ ୧୫ଜଣ କାଉନସିଲରଙ୍କ ମଧ୍ୟରୁ କେତେକ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପଦକ୍ଷେପ ନେଇଥିଲେ। ଏ ସଂପର୍କିରେ ଅବଗତ ହେବା ପରେ ଜିଲ୍ଲାପାଳଙ୍କ ତରଫରୁ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନୋଟିସ୍ ଜାରି କରାଯାଇ ନଭେମ୍ବର ୧୨ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ଅନାସ୍ଥା ପ୍ରସ୍ତାବ ପ୍ରସଂଗରେ ଆରମ୍ଭ କରାଯାଇଥିବା ସମଗ୍ର ପ୍ରକ୍ରିୟା ବେଆଇନ ଦର୍ଶାଇ ଅଧ୍ୟକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତିନି ଜଣ କାଉନସିଲରଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଂଗ ବିଚାରାଧୀନ ରହିଛି।
ଦୁଇ ତୃତୀୟାଂଶରୁ କମ୍ ସଂଖ୍ୟକ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଅଗେଇବା ବେଆଇନ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଓଡ଼ିଶା ପୌର ଆଇନର ଧାରା ୫୪(୧)(୨) ପାଳନ କରାଯାଇ ନାହିଁ। ଅନାସ୍ଥା ପ୍ରସ୍ତାବ ନୋଟିସ୍ ସହିତ ଏ ସଂପର୍କିତ ଅନୁଜ୍ଞା ଓ ଗୃହୀତ ସଂକଳ୍ପର କପି ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ନଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାରେ ଢେଙ୍କାନାଳ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିସନର, ଭୁବନ ଏନଏସି ନିର୍ବାହୀ ଅଧିକାରୀ ଓ କେତେକ କାଉନସିଲରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଛନ୍ତି।