ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଦୁଇଟି ପର୍ଯ୍ୟାୟ ନାମଲେଖା ସରିଛି। ଏହାପରେ ବି ଆହୁରି ୧୮୦ ସିଟ୍‌ ବଳକା ରହିଛି। ଯେଉଁଥିପାଇଁ ସ୍ପଷ୍ଟ କାଉନ୍‌ସେଲିଂ କରିବାକୁ ନିଷ୍ପତ୍ତି ନେଇଛି ଓଜେଇଇ। ଅଗଷ୍ଟ ୪ରୁ ୬ ପର୍ଯ୍ୟନ୍ତ ସ୍ପଷ୍ଟ କାଉନ୍‌ସେଲିଂ କରାଯିବ। ୪ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ସମସ୍ତ ଏସ୍‌ଟି ରୢାଙ୍କ, ୧୧ଟାରୁ ୧୨ଟା ଯାଏ ସମସ୍ତ ଏସ୍‌ସି ଓ ଅବସରପ୍ରାପ୍ତ କର୍ମଚାରୀ, ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ସାଧାରଣ ବର୍ଗର ରାଜ୍ୟ ରୢାଙ୍କ(୧ରୁ ୪୦୦) ଓ ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ସାଧାରଣ ବର୍ଗର ରାଜ୍ୟ ରୢାଙ୍କ(୪୦୧ରୁ ୭୦୦) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରିପୋର୍ଟିଂ ଓ ପ୍ରୋଭିଜନାଲ ନାମଲେଖା‌ରେ ଅଂଶଗ୍ରହଣ କରିପାରିବେ। ଅଗଷ୍ଟ ୫ରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ସାଧାରଣ ବର୍ଗର ଯଥାକ୍ରମେ ୭୦୧ରୁ ୧୧୦୦ ରୢାଙ୍କଧାରୀ ଛାତ୍ରଛାତ୍ରୀ କାଉନ୍‌ସେଲିଂରେ ଭାଗ ନେଇପାରିବେ। ସେହିପରି ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ସାଧାରଣ ବର୍ଗର ୧୧୦୧ରୁ ୩୭୦୨ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ସ୍ପଟ୍‌ ନାମଲେଖାଉଥିବା ଛାତ୍ରଛାତ୍ରୀ ତୁରନ୍ତ କଲେଜରେ ରିପୋର୍ଟିଂ କରିବାକୁ କୁହାଯାଇଛି।

Advertisment

ଓଜେଇଇ ପକ୍ଷରୁ ମିଳିଥିବା‌ ସୂଚନା ଅନୁଯାୟୀ ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଆଉ ୧୮୦ ସିଟ୍‌ ବଳକା ରହିଛି। ସାଧାରଣ ବର୍ଗରେ ୧୧୩ଟି ସିଟ୍‌ ଖାଲିଥିବା ବେଳେ ଏସ୍‌ସି ବର୍ଗରେ ୧୬, ଏସ୍‌ଟିରେ ୧୯, ଗ୍ରିନ୍‌କାର୍ଡ ହୋଲ୍ଡର ବର୍ଗରେ ୧୦, ଅବସରପ୍ରାପ୍ତ କର୍ମଚାରୀ ବର୍ଗରେ ୫, ଏନ୍‌ଆରଆଇ କୋଟାରେ ୧୭ଟି ସିଟ୍‌ ଖାଲି ପଡ଼ିଛି। ଯଦି କଲେଜ ଅନୁଯାୟୀ ଦେଖାଯାଏ ତେବେ ଏସ୍‌ସିବି ମେଡିକାଲ କଲେଜରେ ୫, ଏମ୍‌କେସିଜି ମେଡିକାଲ କଲେଜରେ ୮, ଭିଏସ୍‌ଏସ୍‌ରେ ୨, ହାଇଟେକ୍‌ ମେଡିକାଲ କଲେଜରେ ୩୬, ବାରିପଦା ଓ ବାଲେଶ୍ବର ମେଡିକାଲ କଲେଜରେ ୨ଟି ଲେଖାଏ ଏବଂ କୋରାପୁଟ ଓ ବଲାଙ୍ଗିର ମେଡିକାଲ କଲେwଜରେ ଗୋଟିଏ ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ ଖାଲି ରହିଛି। ଏସ୍‌ସିବି ଡେଣ୍ଟାଲ କଲେଜରେ ୯୬ଟି ସିଟ୍‌ ଖାଲିଥିବା ବେଳେ ହାଇଟେକ୍‌ ଡେଣ୍ଟାଲ କଲେଜରେ ୯୬ଟି ସିଟ୍‌ ବଳକା ରହିଛି। ସ୍ପଷ୍ଟ ନାମଲେଖାରେ ଉକ୍ତ ଖାଲି ସିଟ୍‌ଗୁଡ଼ିକ ଲାଗି ନାମଲେଖା ହେବ। ଛାତ୍ରଛାତ୍ରୀମାନେ ‘www.ojee.nic.in’ ୱେବସାଇଟ୍‌ରେ ଅଧିକ ତଥ୍ୟ ଜାଣିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି।