ଚନ୍ଦନେଶ୍ୱର: ଦୁର୍ଗାପୂଜାରେ ବାପା ମୋବାଇଲ୍ଟିଏ କିଣି ଦେବେ କହିଥିଲେ। ହେଲେ ଅର୍ଥାଭାବ ଯୋଗୁଁ ତାହା ସମ୍ଭବ ହୋଇ ନପାରିବାରୁ ଅଭିମାନରେ ପୁଅ ଜୀବନ ହାରିଦେଲା। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଶ୍ରଦ୍ଧାପୁର ପଞ୍ଚାୟତର ଶାନ୍ତିନଗର ଗାଁରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଶାନ୍ତିନଗର ଗ୍ରାମର ସୁନୀଲ ସ୍ୱାଇଁ ପରିବାର ସହ ବେଙ୍ଗାଲୁରୁରେ ରହୁଥିବା ବେଳେ ସେଠାରେ ଏକ କମ୍ପାନିରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। କିଛି ମାସ ତଳେ ପୁଅ ହରିଶଙ୍କର (୧୭) ବାପା ସୁନୀଲଙ୍କୁ ଗୋଟିଏ ମୋବାଇଲ୍ କିଣିଦେବାକୁ କହିଥିଲେ। ଦୁର୍ଗାପୂଜାରେ ଏକୁଟିଆ ଗାଁକୁ ଆସିଥିବା ହରିଶଙ୍କର ମୋବାଇଲ୍ କିଣିବା ପାଇଁ ବାପା ସୁନୀଲଙ୍କୁ ଫୋନ୍ ଯୋଗେ ଟଙ୍କା ମାଗିଥିଲେ। ଅଭାବ ଯୋଗୁଁ ସୁନୀଲ ଟଙ୍କା ଦେବାକୁ ମନା କରିବାରୁ ଅଭିମାନରେ ହରିଶଙ୍କର ଗତକାଲି ରାତିରେ ଏକୁଟିଆ ରହୁଥିବା ତାଙ୍କ ଘରେ ଗାମୁଛାରେ ଝୁଲି ପଡ଼ିଥିଲେ। ଏ ନେଇ ଭୋଗରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେପଟେ ଖବର ପାଇ ମୃତ ହରିଶଙ୍କରଙ୍କ ବାପାମାଆ ଗାଁକୁ ଆସୁଥିବା ସୂଚନା ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp