ହରିଚନ୍ଦନପୁର : ଦୀର୍ଘଦିନ ପରେ କେନ୍ଦୁଝର ଜିଲ୍ଲାରେ ଏକ ହାତୀର ମୃତ୍ୟୁ ହୋଇଛି। ତାହା ପୁଣି କୋଉ ଶିକାରୀ ଗୁଳିରେ ନୁହେଁ। ଦୁଇ ଦନ୍ତାଙ୍କ ମଧ୍ୟରେ ଲଢ଼େଇରୁ ଗୋଟିକର ଜୀବନ ଯାଇଛି। ଲଢ଼େଇରେ ଗୁରୁତର ହୋଇଥିବା ଦନ୍ତାଟି ୨୨ ଦିନର ଚିକିତ୍ସା ପରେ ଗତକାଲି ଆଖିବୁଜିଛି। ମୃତ ଦନ୍ତାର ବୟସ ୩୫ ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Advertisment

ଗତ ଫେବ୍ରୁଆରି ୨୦ ତାରିଖରେ ରେବଣା ସଂରକ୍ଷିତ ଜଙ୍ଗଲରେ ଦୁଇଟି ଦନ୍ତାହାତୀ ମଧ୍ୟରେ ଲଢ଼େଇ ହୋଇଥିଲା। ଖବର ମିଳିବା ପରେ ୨୨ ତାରିଖରୁ ଦୈତାରୀ ରେଂଜ ଅଧିକାରୀ ନିଲେଶ୍ବର ବେହେରାଙ୍କ ତତ୍ତ୍ବାବଧାନରେ ଆହତ ହାତୀର ଚିକିତ୍ସା ଆରମ୍ଭ ହୋଇଥିଲା। ବିଶେଷଜ୍ଞ ଡାକ୍ତରମାନେ ଆସି ବିଭିନ୍ନ ସମୟରେ ଚିକିତ୍ସା କରୁଥିଲେ। ମାତ୍ର ତାକୁ ସୁସ୍ଥ କରିବାରେ ବିଫଳ ହୋଇଛନ୍ତି। ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଜିତ କୁମାର ଶତପଥୀ ଓ ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦେଶକ୍ରମେ ବନପାଳ ଗୋବିନ୍ଦ ନାରାୟଣ ମହାପାତ୍ର, ଦିବାକର ମୁଣ୍ଡାଙ୍କ ସମେତ ବନରକ୍ଷୀ ଓ ସ୍କ୍ବାଡ୍‌ ପ୍ରଭୃତି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଘାଆ ଶୁଖୁ ନଥିବାରୁ ହାତୀଟି ଧୀରେଧୀରେ ଦୁର୍ବଳ ହୋଇଚାଲିଥିଲା। ଶେଷରେ ଗତକାଲ ଅପରାହ୍‌ଣ ୫ଟାରେ ମୃତ୍ୟୁ ହୋଇଥିଲା। ଆଜି ପୂର୍ବାହ୍ନରେ ପ୍ରାଣୀ ଚକିତ୍ସିକ ଡା. ପୀୟୂଷ ସୋରେନ ଓ ଡା. ଲଳିତ ମୋହନ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ଦାନ୍ତ କାଢ଼ିନେବା ପରେ ହାତୀଟିକୁ ପୋତି ଦିଆଯାଇଛି।