ବାରିପଦା: ବାରିପଦା ସହରରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ ଦାବିରେ ମୃତଦେହକୁ ଧରି ପରିବାର ଲୋକେ ସହରରେ ଚାଲିଚାଲି ସଦର ଥାନା ଅଭିମୁଖେ ବାହାରିଥିଲେ। ବାଟରେ ପୁଲିସ ସେମାନଙ୍କୁ ଅଟକାଇ ମୃତଦେହକୁ ଗଁାକୁ ପଠାଇଛି। ମୃତକ ହେଲେ, ବାରିପଦା ସଦର ଥାନା ଦାମୋଦରପୁର ଗାଁର କାର୍ତ୍ତିକ ବିନ୍ଧାଣୀଙ୍କ ପୁଅ ପ୍ରକାଶ (୧୮)। ପ୍ରକାଶ ସବିତାଙ୍କୁ (ଛଦ୍ମନାମ) ପ୍ରେମ କରୁଥିଲେ। ହେଲେ, ଝିଅଘର ଲୋକ ଏହାକୁ ବିରୋଧ କରିବା ସହ ଝିଅର ଅନ୍ୟତ୍ର ବିବାହ ପାଇଁ ଦିନଧାର୍ଯ୍ୟ କରିଥିଲେ। ଏହା ଜାଣିବାପରେ ପ୍ରକାଶ ଗତ ୬ ତାରିଖ ସନ୍ଧ୍ୟାରେ ଯୁବତୀଙ୍କ ଘରକୁ ଯାଇଥିଲେ ବି ଆଉ ଫେରିନଥିଲେ। ସେ କୁଆଡ଼େ ଝିଅଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ, ଝିଅଘର ଲୋକ ପ୍ରକାଶଙ୍କୁ ହତ୍ୟାକରି ଏହାକୁ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରୁଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।
ଆଜି ପୁଲିସ ଉପସ୍ଥିତିରେ ପିଆର୍ଏମ୍ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ହେଲେ, ପ୍ରକାଶଙ୍କ ପରିବାର ନ୍ୟାୟ ଦାବିରେ ମୃତଦେହକୁ ସଦର ଥାନା ଆଗରେ ରଖିବାକୁ ଜିଦ୍ ଧରିଥିଲେ। ପରିବାର ଲୋକ ଶବକୁ କାନ୍ଧେଇ ଚାଲି ଚାଲି ସଦର ଥାନା ଅଭିମୁଖେ ବାହାରି ଥିଲେ। ଏସମ୍ପର୍କରେ ବାରିପଦା ଏସ୍ଡିପିଓ ସୁଜିତ କୁମାର ପ୍ରଧାନ ଓ ସଦର ଥାନା ଅଧିକାରୀ ମଧୁମିତା ମହାନ୍ତିଙ୍କ କହିଛନ୍ତି, ତଦନ୍ତ ଚାଲିଛି ଓ ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରାଯିବ।