ପୁରୀ : ଗତକାଲି ସୋମବାର ଶ୍ରାବଣ ମଳ ଶୁକ୍ଳପକ୍ଷ ଷଷ୍ଠୀରେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଗୁପ୍ତ ସେବା ତଥା ନୀତିକାନ୍ତି ପାଇଁ ସୋମବାର ଦିନ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ। ଖସାପଡ଼ା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୋଇଥାଏ। ଏହା ଦଇତାପତି ସେବାୟତଙ୍କ ଗୋଷ୍ଠୀଗତ ଓ ଗୁପ୍ତ ସେବା। ବର୍ଷକୁ ୨ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧା ବିଗ୍ରହଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ପରେ ଠାକୁରମାନେ ହୋଲି ଖେଳିଲା ଯୋଗୁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇଥାଏ। ଏଥିପାଇଁ ବି ଖସାପଡ଼ା ନୀତି ଅନୁଷ୍ଠିତ ହୋଇଥାଏ।
ପରମ୍ପରା ଅନୁଯାୟୀ, ଏହି ଗୁପ୍ତ ନୀତି ପାଇଁ ଗତକାଲିଠାରୁ ଦେଉଳକରଣ ଧଳା କନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥିଲେ। ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇ ଦେଇଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ଜୟ-ବିଜୟ ଦ୍ୱାର ବନ୍ଦ ହୋଇଥିଲା। ବେହେରଣ ଦ୍ୱାର ଦେଇ ପାଳିଆ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପନ୍ନ ହୋଇଥିଲା। ଧଳା କନା, ଖଳି ଓ କଇଥ ଅଠାକୁ ବ୍ୟବହାର କରି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରିବା ସହ ସଜେଇଥିଲେ। ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା। ଖସାପଡ଼ା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟା ପୁଣି ସର୍ବସାଧାରଣ ଦର୍ଶନ ସ୍ବାଭାବିକ ହୋଇଥିଲା।