ରାଉରକେଲା: ବଣାଇ ବ୍ଲକ୍ର ଦୈନିକ ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଦିଲୀପ ତ୍ରିପାଠୀଙ୍କର ଆଜି ଭୋର ୪ଟା ୩୦ରେ ବଣାଇସ୍ଥିତ ବାସଭବନରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ସେ ଘରକୁ ଫେରିଥିଲେ। ଆଜି ଭୋର ସମୟରେ ହଠାତ୍ ଗୁରୁତର ହୋଇ ପଡ଼ିଥିଲେ। ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୩୦ ବର୍ଷ ଧରି ’ସମ୍ବାଦ’ର ବଣାଇ ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ , ଝିଅ, ଭାଇ ଓ ଭଉଣୀ ଉପସ୍ଥିତ ଥିଲେ।
ବଣାଇ ବ୍ରାହ୍ମଣୀ ନଦୀକୂଳ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ଚିନ୍ମୟ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ। ବଣାଇ ସହରର ବିଭିନ୍ନ ବର୍ଗର ଲୋକ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ତାଙ୍କ ପରଲୋକରେ ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, ସଂପାଦକ ତନୟା ପଟ୍ଟନାୟକ, ପ୍ରକାଶକ କମଳାକାନ୍ତ ମହାପାତ୍ର, ବାର୍ତ୍ତା ସଂପାଦକ ଭବାନୀଶଙ୍କର ତ୍ରିପାଠୀ ଓ ମାନବ ସମ୍ବଳ ମହାପ୍ରବନ୍ଧକ ବୈଜୟନ୍ତୀ କର ଗଭୀର ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।