ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତର ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ରାଜ୍ୟର ୩୪୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ ସମେତ କନ୍ଧମାଳର ୪୬, କୋରାପୁଟର ୮୨, ଭଦ୍ରକର ୬୦ ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ରୂପାନ୍ତରିତ ହାଇସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥି ହେବେ। ତାହାକୁ ନଜରରେ ରଖି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଛି, ଯାହାକି ଓଡ଼ିଆ ଜାତିରେ ନୂତନ ଜାଗରଣର ମାର୍ଗ ପ୍ରଶସ୍ତ କରିଛି।
ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଲେ, ରୂପାନ୍ତର କାର୍ଯ୍ୟକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟୋରି ବ୍ୟବସ୍ଥା ହୋଇଛି। ସମସ୍ତଙ୍କ ସହ ଆଲୋଚନା କରାଯାଇ ସ୍ବଚ୍ଛତାର ସହ କାମ ହେଉଛି। ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗ ଦ୍ବାରା ରୂପାନ୍ତରିତ ସ୍କୁଲ ପିଲାଙ୍କ ଜୀବନର ସମସ୍ତ କ୍ଷେତ୍ରରେ ସଫଳ ହେବେ। ସରକାରୀ ସ୍କୁଲଗୁଡ଼ିକରେ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି। ସରକାରୀ ସ୍କୁଲରେ ପଢ଼ିବାକୁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ତୁମେମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ନଷ୍ଟ ନ କରି ତାହାର ଉପଯୋଗ କରିପାରିଲେ ଜୀବନରେ ସଫଳତା ହାସଲ କରିପାରିବ।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଲେ ରୂପାନ୍ତର ସରକାରୀ ସ୍କୁଲଗୁଡ଼ିକର ଗୁରୁତ୍ୱ ବୃଦ୍ଧି କରିଛି। ଏହା ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ସାହସ ଦେଇଛି। ସୁଯୋଗ ମଧ୍ୟ ସୃଷ୍ଟି କରିଛି। ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି। ସ୍କୁଲଗୁଡ଼ିକରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲ ଭାବେ ରକ୍ଷଣାବେକ୍ଷଣ କରିବାକୁ ସେ ଅନୁରୋଧ କରିଥିଲେ। କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତ, କଳାହାଣ୍ଡିରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, କୋରାପୁଟରେ ବିଧାୟକ ରଘୁରାମ ପଡାଲ, ଭଦ୍ରକରେ ବିଧାୟକ ପ୍ରଫୁଲ ସାମଲ, ସୁନ୍ଦରଗଡରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଯୋଗେଶ କୁମାର ସିଂ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ଉପାନ୍ତ ଅଞ୍ଚଳର ବିକାଶ ଚିତ୍ର ପରିଲକ୍ଷିତ ହେଉଥିବା କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କଳାହାଣ୍ଡିର ଛାତ୍ରୀ ଆଶା ମାଝୀ, କନ୍ଧମାଳର ଛାତ୍ର ରାଜେଶ କୁମାର ସାହୁ, କୋରାପୁଟର ଛାତ୍ରୀ ରଶ୍ମି ତେନ୍ତୁଳିପଡିଆ, ଭଦ୍ରକର ଛାତ୍ରୀ ବର୍ଷାରାଣୀ ପରିଡ଼ା, ସୁନ୍ଦରଗଡର ଛାତ୍ରୀ ରାଧିକା ସାହୁ ରୂପାନ୍ତରିତ ସ୍କୁଲ ସମ୍ପର୍କରେ ମତପ୍ରକାଶ କରିଥିଲେ।