ଭୁବନେଶ୍ୱର: ଭୁବନେଶ୍ୱରଠାରେ ଚାଲିଥିବା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା: ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

Advertisment

ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ପ୍ରାଥମିକତା କ୍ଷେତ୍ରରେ ଏକ ଖୋଲା ଆଲୋଚନା ହୋଇଥିଲା। କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ସ୍ୱତନ୍ତ୍ର ଅଭିଭାଷଣ ସହିତ ଦ୍ୱିତୀୟ ଅଧିବେଶନ ଶେଷ ହୋଇଥିଲା। ସମାପନ ଅଧିବେଶନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଅଗ୍ରଗତି କରିବାର କାର୍ଯ୍ୟ ପ୍ରକ୍ରିୟା ସଂକ୍ରାନ୍ତରେ ବିବରଣୀ ଦିଆଯିବା ସହିତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଆଲୋଚନା ଅଧିବେଶନ ପରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିର ନିକଟରେ ଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନର ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ରକୁ ବିଦେଶୀ ଅତିଥିମାନେ ବୁଲି ଦେଖିଥିଲେ। କୋଣାର୍କ ମନ୍ଦିରର ସ୍ଥାପତ୍ୟ କଳା ସେମାନଙ୍କୁ ପ୍ରଭାବିତ କରିଥିଲା। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

କଳାକାରମାନଙ୍କ ଦ୍ୱାରା ‘ଗୋଟିପୁଅ’ ନୃତ୍ୟ ପରିବେଷିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଆସନ୍ତାକାଲି ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହେବ। ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଛାଡ଼ିଥିବା ପୂର୍ବରୁ ସକାଳେ ଉଦୟଗିରି ଗୁମ୍ଫା ବୁଲି ଦେଖିବେ। ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଏକ ସମାବେଶୀ ଏବଂ ସହଭାଗୀ ମଞ୍ଚ ଯୋଗାଇ ଦେଇଛି। ସାଂସ୍କୃତିକ ବିବିଧତା କ୍ଷେତ୍ରରେ ବୈଶ୍ୱିକ ସହଭାଗିତା ଏବଂ ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଏହାର ଭୂମିକାକୁ ପ୍ରୋତ୍ସାହନ ଦେବା ଏହି ବୈଠକର ଉଦ୍ଦେଶ୍ୟ।