କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜିଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି। ପ୍ରତ୍ୟେକ ବର୍ଷପରି ବଡଦାଣ୍ଡରେ ତିନିଗୋଟି ସାଂସ୍କୃତିକ ମଞ୍ଚରେ ଭିନ୍ନଭିନ୍ନ ଦିବସରେ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ପାରମ୍ପରିକ କଳା ଦେଖିବାର ସୁଯୋଗ ମିଳିବ। ଏଥର ମୋଟ୍ ୪୬ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ।

Advertisment

ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରହୁଥିବା ରଥ ସମ୍ମୁଖରେ ଭଜନ ପରିବେଷଣ କରା ନଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ବରେ ଭଜନ ସମାରୋହ ଅନୁଷ୍ଠିତ ହେବ। ରଥଯାତ୍ରା ଦିନଠାରୁ ବାହୁଡାଯାତ୍ରା ପୂର୍ବଦିନ ପର୍ଯ୍ୟନ୍ତ ଭଜନ ସମାରୋହର ଆୟୋଜନ କରାଯାଇଛି। ୨୩ତାରିଖ ସଂଧ୍ୟାରେ ଭଜନ ଶିଳ୍ପୀ ରବି ମହାପାତ୍ର ଓ ସ୍ୱର୍ଗତଃ ଅରବିନ୍ଦ ମୁଦୁଲିଙ୍କ ପୁଅ ଜଗବନ୍ଧୁ ମୁଦୁଲିଙ୍କ ଦଳ, ୨୪ତାରିଖ ଦିନ ସୁବାସ ଦାସଙ୍କ ଦଳ ଓ ୨୬ତାରିଖରେ ଅଞ୍ଜଳି ମିଶ୍ର ଓ ବସନ୍ତ ପାତ୍ରଙ୍କ ଦଳ ଭଜନ ପରିବେଷଣ କରିବେ। ୨୦ତାରିଖରେ ସତ୍ୟବୈକୁଣ୍ଠ ଫାଉଣ୍ଡେସେନରେ ମାନସୀ ଦାଶ ଓ ଅନ୍ୟ କଳାକାରମାନେ ଭଜନ ପରିବେଷଣ କରିବେ । ୨୧ ତାରିଖରେ ପୁରୁଷୋତ୍ତମ ଭଜନ ସଂଧ୍ୟା, ୨୨ ତାରିଖରେ ସୁନାମଧନ୍ୟ ଅନୁଷ୍ଠାନ ସୁରନିକେତନ, ୨୫ତାରିଖରେ ଓମ ମା କଳାକେନ୍ଦ୍ର, ୨୭ତାରିଖରେ ଜ୍ଞାନମଣ୍ଡଳ ଏବଂ ସୁନାବେଶ ଦିନ ଘୁଙ୍ଗୁରୁ କ୍ଲବ ମଂଚରେ ଅମୃତଧାରା ଭଜନ ପରିବେଷଣ କରିବେ ।

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଉତ୍କଳ ବିଶ୍ବକର୍ମା କଳାକୁଞ୍ଜ ୨୬ତାରିଖରେ ଘୁଙ୍ଗୁରୁ ମଞ୍ଚରେ ଓ ୨୭ତାରିଖରେ ଇଲେଭେନ ବୁଲେଟ ମଞ୍ଚରେ କଣ୍ଢେଇନୃତ୍ୟ ପରିବେଷଣ କରିବେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୪ ଟି ଦଳ ଯୋଗାଇ ଦିଆଯାଉଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟସ୍ତରୀୟ, ବିଭିନ୍ନ ବ୍ଳକ କଳା ସଂଘ ଓ ସ୍ଥାନୀୟ କେତେକ ଅନୁଷ୍ଠାନ ଆଧ୍ୟତ୍ମିକ ଓ ପାରମ୍ପରିକ କଳା ପରିବେଷଣ କରିବେ । ଭୁବନେଶ୍ୱରର ନୁପୂର ଅନୁଷ୍ଠାନ ୨୧ତାରିଖ ଦିନ ଘୁଙ୍ଗୁରୁ ମଞ୍ଚରେ, ୨୨ତାରିଖରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ଇଲେଭେନ ବୁଲେଟ ମଞ୍ଚରେ ଓ ବଲାଙ୍ଗୀରର ଶଙ୍କର ବେହେରାଙ୍କ ସମ୍ପଲପୁରୀ କାର୍ଯ୍ୟକ୍ରମ ଘୁଙ୍ଗୁରୁ ମଂଚରେ, ୨୩ତାରିଖରେ ହରିଶ୍ଚନ୍ଦ୍ର ଓରାମଙ୍କର କଣ୍ଢେଇ ନୃତ୍ୟ ଘୁଙ୍ଗୁରୁ ମଞ୍ଚରେ, ରୁଦ୍ରାକ୍ଷ ବଡବିଲ ଇଲେଭେନ ବୁଲେଟ ମଞ୍ଚରେ,୨୫ତାରିଖରେ ବରଗଡ ଲୋକନୃତ୍ୟ ଇଲେଭେନ ବୁଲେଟ ମଞ୍ଚରେ ଓ ଚୌଦ୍ବାରର ଉତ୍ସବ ଦାସଙ୍କ ଘୋଡାନାଚ ଘୁଙ୍ଗୁରୁ ମଞ୍ଚରେ ଅନୁଷ୍ଠିତ ହେବ। ଜୁନ ୨୬ତାରିଖରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଦଳ ଇଲେଭେନ ବୁଲେଟ ମଞ୍ଚରେ, ୨୭ତାରିଖ ପୁରୀର ଗୋଟିପୁଅ ଘୁଙ୍ଗୁରୁ ମଂଚରେଏବଂ ୨୮ତାରିଖରେ ଚକ୍ରଧର ପରିଡ଼ାଙ୍କ କଣ୍ଢେଇ ନୃତ୍ୟ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଶାଳପଡା ଜିତୁ ଦାଶଙ୍କ ବିଣାପାଣୀ କଳା ନିକେତନ, ଘଟଗାଁର ମାତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର, ଅସନପାଟ ଛଉ, ବାସୁଦେବପୁରର ଝୁମର, ପାଲା, ଖଞ୍ଜଣି ଭଜନ, ଚାଙ୍ଗୁ, ମୁଣ୍ଡା ଓ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯିବ । କେନ୍ଦୁଝରର ସୁନାମଧନ୍ୟ ଅନୁଷ୍ଠାନ ବରୁଣେଶ୍ୱର, ଇନ୍ଦଧନୁ, ଅନନ୍ତଗୋପାଳ, ଶିଷ୍ୟା, ସମ୍ରାଟ, ଡାଡି ମିକ୍ସ, ବର୍ଷା, ନୃତ୍ୟପ୍ରଭାତ, ପ୍ରଗତି, ଅନନ୍ୟା, ସ୍ପିଟଜା, କଲେକ୍ଟାରେଟ କଲଚରାଲ କ୍ଲବ, ଘୁଙ୍ଗୁରୁ, କେଡିସିଏ, ଉପାସନା, ଓମ ସାଇ ଡ୍ୟାନ୍ସ ଏକାଡେମୀ ଆଦି ଦଳ ଯୋଗ ଦେବେ । ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ରାଜସ୍ୱ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ସାଂସ୍କୃତିକ କମିଟିର ସଦସ୍ୟମାନେ ଏହି ଦଳ ଚୟନ ସମୟରେ ଉପସ୍ଥିତ ଥିଲେ ।