î ଆପଣ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀକୁ କାହିଁକି କର୍ମକ୍ଷେତ୍ର ରୂପେ ବାଛିଲେ?
ଉ: ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବନ୍ତ ବ୍ଲକ୍‌ର ଶ୍ରୀମନ୍ତପୁର ଆମ ପୂର୍ବପୁରୁଷଙ୍କ ଜନ୍ମମାଟି। ଏବେ ମଧ୍ୟ ଆମର ସେଠାରେ ଜମିବାଡ଼ି ଓ ଧାନକ୍ଷେତ ଆଦି ଅଛି। ଏହି ଅଞ୍ଚଳକୁ ମୁଁ ଯେତେବେଳେ ଆସେ, ଦେଖେ ଏଠାରେ କିଛି ହେଲେ ବି ବିକାଶ ହୋଇନାହିଁ। ରାସ୍ତା-ଘାଟ, ପାନୀୟଜଳ, କୃଷି, ଜଳସେଚନ, ସବୁ କ୍ଷେତ୍ରରେ ଏ ଅଞ୍ଚଳ ବହୁପଛରେ ପଡ଼ିଛି। ମୁଁ ଆଶ୍ଚର୍ଯ୍ୟ ହୁଏ, ଏଠାରେ ଯେଉଁମାନେ ଏତେବର୍ଷ ପ୍ରତିନିଧିତ୍ବ କରୁଥିଲେ, ସେମାନେ ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ରଖିଥିଲେ ବୋଲି ମୋର ହୃଦ୍‌ବୋଧ ହେଲା। ତେଣୁ ମୁଁ ସ୍ଥିର କଲି, ଏ ଅଞ୍ଚଳର ପ୍ରତିନିଧି ହେବି ଏବଂ ଲୋକଙ୍କ ସେବା ପାଇଁ ମୋର ବାକି ଜୀବନ ଏଇଠାରେ କଟାଇ ଦେବି।
î ଏଥର ନିର୍ବାଚନରେ ଆପଣଙ୍କର ପ୍ରସଙ୍ଗ କ’ଣ?
ଉ: ଲୋକଙ୍କ ସମସ୍ୟା ହିଁ ମୋର ପ୍ରସଙ୍ଗ। ବୈତରଣୀର ଗୋଟାଏ ପଟେ ଯାଜପୁର, ଗୋଟାଏ ପଟେ ଆମର ଏ ଭଣ୍ଡାରିପୋଖରୀ। ଆପଣ ଆଶ୍ଚର୍ଯ୍ୟ ହେବେ, ଯାଜପୁର ପଟେ ବୈତରଣୀ ନଦୀବନ୍ଧ ଅତି ସୁଦୃଢ଼। କିନ୍ତୁ, ଭଣ୍ଡାରିପୋଖରୀ ପଟେ ନଦୀବନ୍ଧ ଏତେ ଦୁର୍ବଳ ଯେ, ପ୍ରତିବର୍ଷ ବନ୍ୟାରେ ଆମ ଭଣ୍ଡାରିପୋଖରୀବାସୀ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟାଏ ରାଷ୍ଟ୍ରରେ ବିକାଶର ଧାରା ଦଳୀୟ ଭିତ୍ତିରେ ଅଗ୍ରଗାମୀ ହୁଏ ନାହିଁ। ନାଗରିକମାନଙ୍କ ସମସ୍ୟାକୁ ପ୍ରାଥମିକତା ନ ଦେଇ ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ହେଲେ ଏହିପରି ବାଛ ବିଚାର ହୁଏ। ତେଣୁ ଲୋକଙ୍କ ସମସ୍ୟା ମୋର ପ୍ରସଙ୍ଗ। କେବଳ ଭଣ୍ଡାରିପୋଖରୀ ନୁହେଁ, ସମଗ୍ର ଭଦ୍ରକ ଜିଲ୍ଲାବାସୀ ଆଜି ଏହିପରି ପାତରଅନ୍ତର ନୀତିର ଶିକାର।
î ଏହି ଅଞ୍ଚଳର ବିକାଶ ପାଇଁ ଆପଣଙ୍କର କିଛି ନିର୍ଦ୍ଦିଷ୍ଟ ଯୋଜନା ଅଛି କି?
ଉ:ଭଦ୍ରକରେ ଆଜି ଆପଣ ଯାହା କିଛି ବିକାଶ ଦେଖୁଛନ୍ତି, ତାହା କଂଗ୍ରେସ ସରକାର ହିଁ କରିଥିଲା। ଧାମରାବନ୍ଦରଠାରୁ ଫେକର ଯାଏ ଯାହା କିଛି ହୋଇଛି ସବୁ କଂଗ୍ରେସର ଦାନ। ମୁଁ ଶିଳ୍ପମନ୍ତ୍ରୀ ଥିବା ସମୟରେ ଓଡ଼ିଶାରେ ଘରୋଇ ଇଂଜିନିୟରିଂ କଲେଜ ସବୁ ପ୍ରତିଷ୍ଠା ହୋଇଥିଲା। ବରପଦାର ଇଂଜିନିୟରିଂ ସ୍କୁଲ୍‌ ପୂର୍ବରୁ ବନ୍ଦ ହୋଇ ଯାଇଥିଲା। ସେହି ସମୟରେ ପୁଣି ସଚଳ ହେଲା। ତେବେ ଏଠାରେ କୃଷିଭିତ୍ତିକ ଶିଳ୍ପ ସହ ବନ୍ଦରଭିତ୍ତିକ ଅନେକ ଶିଳ୍ପ ହୋଇପାରିବ। ଯାହାଫଳରେ ଚାଷୀମାନେ ଉପକୃତ ହେବା ସହ ସ୍ଥାନୀୟ ଯୁବକ ନିଯୁକ୍ତି ପାଇବେ। ଭଦ୍ରକରେ ମେଡିକାଲ୍‌ କଲେଜ ସହ ଭଦ୍ରକରେ ଅଧିକରୁ ଅଧିକ ଟେକ୍ନିକାଲ୍‌ ଏଜୁକେଶନ କେନ୍ଦ୍ର ଖୋଲିବାକୁ ମୋର ଯୋଜନା ଅଛି। ଏଥି ସହ ସବୁ ଗାଁକୁ ଭଲ ରାସ୍ତା, ସବୁ ଘରକୁ ପିଇବା ପାଣି ଓ ସମସ୍ତଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା କିପରି ମିଳିବ, ତାହାକୁ ମୁଁ ପ୍ରାଥମିକତା ଦେବି।
î ଓଡ଼ିଶାର ସାଂପ୍ରତିକ ରାଜନୈତିକ ସ୍ଥିତି ଯାହା, ସେଥିରେ କଂଗ୍ରେସ କେତେଦୂର ସଫଳ ହେବ?
ଉ: ଓଡ଼ିଶାରେ ଏବେ ଏକ ବିଚିତ୍ର ରାଜନୈତିକ ସ୍ଥିତି। ବିଜେଡି-ବିଜେପି ମଧ୍ୟରେ ନିବିଡ଼ ସମ୍ପର୍କ। ବିଜେଡି ମିଛି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପଚିଶ ବର୍ଷ ହେଲା ପ୍ରତାରିତ କରୁଥିବା ବେଳେ ବିଜେପି ଧର୍ମ ନାଁରେ, ଜାତି ନାଁରେ ଦେଶରେ ବିଭାଜନ କରୁଛି। ତେଣୁ ଏଠାରେ ଲୋକଙ୍କ ସ୍ବର ଯଦି କିଏ ଉତ୍ତୋଳନ କରୁଛି, ସେ କଂଗ୍ରେସ। ଖାଦ୍ୟସୁରକ୍ଷା ଆଇନରେ ଲୋକଙ୍କୁ ଚାଉଳ ଦେବା ଆରମ୍ଭ କଲେ ମନମୋହନ ସିଂ। ଆଜି ନାଁ ନେଉଛନ୍ତି ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର। ମହିଳାମାନଙ୍କ ପାଇଁ ସଂରକ୍ଷଣ ଆରମ୍ଭ କରିଥିଲେ ଏହି କଂଗ୍ରେସ ସରକାର। ଆଜି ନାଁ ନେଉଛନ୍ତି ସେମାନେ। ଆମ କଂଗ୍ରେସ ଲୋକଙ୍କୁ ୧୦୦ ୟୁନିଟ୍ ବିଜୁଳି ମାଗଣା ଦେଉଥିଲା। ଏବେ ସେଇ ଯୋଜନାକୁ ହଡ଼ପ କରି ବିଜେଡି ମିଛରେ କହୁଛି ଜୁଲାଇରୁ ମାଗଣା ବିଜୁଳି ଦେବେ। ସେମାନେ ୨୫ ବର୍ଷ ଭିତରେ ରାଜ୍ୟକୁ ବିଜୁଳି ଶକ୍ତିରେ ସ୍ବାବଲମ୍ବୀ କରିପାରିଲେ ନାହିଁ। ମାଗଣା ବିଜୁଳି ଦେବେ‌ କେମିତି? ବିଜୁଳି ତ ଆଉ ସରକାରଙ୍କ ହାତରେ ନାହିଁ, ଅଛି ଟାଟା କମ୍ପାନି ହାତରେ। ମୁଁ ଶକ୍ତିମନ୍ତ୍ରୀ ଥିବା ସମୟରେ ଓପିଜିସି ଗଠନ ହୋଇଥିଲା। ଓଡ଼ିଶା ନିଅଣ୍ଟିଆ ବିଜୁଳି ରାଜ୍ୟରୁ ବଳକା ବିଜୁଳି ରାଜ୍ୟ ହେଲା। ହେଲେ ଏବେ ସେପରି ଦୂରଦୃଷ୍ଟି ଅଛି ନା ଯୋଜନା ଅଛି? ତେଣୁ ଏଠାରେ ସରକାର କିଛି କମ୍ପାନିର ସ୍ବାର୍ଥରେ ଚାଲୁଛି ବୋଲି ମୋର ମନେହୁଏ। ବାହାର ରାଜ୍ୟର କମ୍ପାନିକୁ ଫାଇଦା ଦେବା ପାଇଁ ଆମ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିରୁ ଓଡ଼ିଆ ଲୋକେ ଆଦୌ ଲାଭ ପାଉ ନାହାନ୍ତି। ଓଡ଼ିଆ ଲୋକମାନେ ଆଜି ସବୁ କ୍ଷେତ୍ରରେ ଅବହେଳିତ। ଏ ପରିସ୍ଥିତିରେ ବର୍ତ୍ତମାନ ପାଇଁ କଂଗ୍ରେସ ଏକମାତ୍ର ବିକଳ୍ପ।
î ଭଣ୍ଡାରିପୋଖରୀରେ ଆପଣ ବିଜୟ ନେଇ କେତେ ଆଶାବାଦୀ?
ଉ:୨୦୧୯ରେ ଲୋକେ ଏଠାରେ ମୋତେ ଯେଉଁ ଶ୍ରଦ୍ଧା ଓ ସମର୍ଥନ ଦେଉଥିଲେ ତାହା ମୁଁ ସାରାଜୀବନ ଭୁଲପାରିବି ନାହିଁ। ସେହି ଲୋକମାନଙ୍କ ଋଣ ଶୁଝିବା ପାଇଁ ମୁଁ ମୋ ସାରାଜୀବନ ଏଠାରେ ସେବା କରିବାକୁ ଆସିଛି। ଲୋକେ ଆଶୀର୍ବାଦ କଲେ ମୁଁ ବିଜୟୀ ହେବି। ମା’ମାନଙ୍କ ଆଶୀର୍ବାଦ, ଯୁବକମାନଙ୍କ ଉତ୍ସାହ ଓ ସାଧାରଣ ନାଗରିକ ପରିବର୍ତ୍ତନ ପାଇଁ ଯେଉଁ ସଂକଳ୍ପ କରିଛନ୍ତି ତାହା ମୋତେ ନିଶ୍ଚୟ ସଫଳତା ଦେବ ବୋଲି ମୁଁ ଆଶାବାଦୀ। ମୁଁ ମୋ ସାରାଜୀବନ ଏହି ମାଟିର ସେବା କରିବି।
î ଆପଣଙ୍କ ଅବସୋସ କିଛି ଅଛି କି?
ଉ: ମୁଁ ରାଜନୀତିରେ ଅଛି। କ୍ଷମତା ଓ ଅର୍ଥ ପାଇଁ ମୁଁ ରାଜନୀତିକୁ ଆସିନାହିଁ। ଡ. ହରେକୃଷ୍ଣ ମହତାବ, ବିନୋବାଭାବେ, ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଜନସେବା କରିବାକୁ ମୁଁ ରାଜନୀତିରେ ଯୋଗ ଦେଇଥିଲି। ଏବେ ଲୋକପ୍ରତିନିଧିମାନେ ଲୋକଙ୍କୁ ଦେଉଥିବା ପ୍ରତିଶ୍ରୁତି ଭୁଲିଯିବା ଦେଖିଲେ ଦୁଃଖ ଲାଗୁଛି। ଲୋକଙ୍କଠାରୁ ସବୁ କାମରେ ପିସି ନେଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାର କଥା। ତେବେ, ଭଣ୍ଡାରିପୋଖରୀକୁ ନେଇ ମୋର ଦୁଃଖ ଏୟା ଯେ, ମୁଁ ଶିଳ୍ପମନ୍ତ୍ରୀ ଥିବା ସମୟରେ ଧାମନଗର ଛକରେ ବିସ୍ତୃତ ଜମି ଅଧିଗ୍ରହଣ କରି ଚିନିକଳ ଓ ଅନ୍ୟ ଶିଳ୍ପ ପ୍ରତିଷ୍ଠାର ଭିତ୍ତିଭୂମି ସ୍ଥାପନ କରିଥିଲି। ହେଲେ ୨୯ ବର୍ଷ ହେଲା, ସେ ଶିଳ୍ପ ସ୍ବପ୍ନରେ ରହିଗଲା। ସେହିପରି ଭଣ୍ଡାରିପୋଖରୀ ଓ ବନ୍ତ ଅଞ୍ଚଳର ‌ଚାଷ ଜମିକୁ ଜଳସେଚିତ କରିବା ପାଇଁ ମୁଁ ଜଳସେଚନ ମନ୍ତ୍ରୀ ଥିବା ସମୟରେ ଯେଉଁ କେନାଲ ଖୋଳାଇ ଥିଲି, ସେ କେନାଲ ଏବେ ପୋତି ହୋଇଗଲାଣି। ଚାଷୀ ପାଣି ପାଇବେ କେମିତି? ସେହି ସମୟରେ ଅନେକ ଲିଫ୍ଟ ଇରିଗେସନ ପଏଣ୍ଟ କରାଯାଇଥିଲା। ତାହା ସବୁ ଏବେ ଅଚଳ। ମୁଁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ଭଣ୍ଡାରିପୋଖରୀ, ବନ୍ତ ଅଞ୍ଚଳରେ ହୋମିଓପାଥିକ୍‌ ଓ ଆୟୁର୍ବେଦିକ୍‌ ହସ୍ପିଟାଲ ସହ ସାତଟି ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଥିଲି। ଗତ ୨୫ ବର୍ଷ ଭିତରେ ଏଠାରେ ଆଉ ଯେତିକି ସ୍ବାସ୍ଥ୍ୟ କେନ୍ଦ୍ର ହେବା କଥା ହୋଇପାରି ନାହିଁ। ତେଣୁ ମୋ ମନରେ ଦୁଃଖ ଆସେ। ଏହିସବୁ କାରଣରୁ ମୁଁ ଭଣ୍ଡାରିପୋଖରୀ ମାଟିର ସେବା କରିବା ପାଇଁ ସଂକଳ୍ପ କରିଛି।
ଡ. ହରିହର ନାୟକ