କଟକ: ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଡିସପୋଜେବୁଲ୍ ସିରିଞ୍ଜ ଯୋଗାଣ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏ ନେଇ ଆହ୍ବାନ କରାଯାଇଥିବା ଟେଣ୍ଡରର ମୂଳ ସର୍ତ୍ତରେ କର୍ପୋରେସନ୍ ପକ୍ଷରୁ ପରବର୍ତ୍ତୀ ସମୟରେ କେତେକ ପରିବର୍ତ୍ତନ କରାଯାଇଥିବା ବେଳେ ଏ ନେଇ ମାମଲା ହାଇକୋର୍ଟରେ ପହଞ୍ଚି ଥିଲା। ନୋବଲ ଫାର୍ମାକେୟାର ଲିମିଟେଡ୍ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଜଷ୍ଟିସ ଏସ.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କର୍ପୋରେସନ୍ ପକ୍ଷରୁ ବିଭିନ୍ନ ଡାକ୍ତରୀ ସରଞ୍ଜାମ ସହିତ ଡିସପୋଜେବୁଲ୍ ସିରିଞ୍ଜ ୨ ସିସି ଓ ୫ ସିସି ବର୍ଗରେ ଯୋଗାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ରାଜ୍ୟର ସମସ୍ତ ବଡ ଡାକ୍ତରଖାନା ସହିତ ଜିଲ୍ଲା, ସଦର ମହକୁମା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ସ୍ବାସ୍ଥ୍ୟସେବା ସଂପର୍କିତ ସରଞ୍ଜାମ ଓ ସାମଗ୍ରୀ ଯୋଗାଣ ପାଇଁ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ସିରିଞ୍ଜ ଯୋଗାଣ ପ୍ରସଂଗରେ ୩୫ ଲକ୍ଷ ଟଙ୍କା ଟର୍ଣ୍ଣଓଭର ଥିବା ମଧ୍ୟମ ଉଦ୍ୟୋଗ ପାଇଁ କେତେକ ସ୍ବତନ୍ତ୍ର ସୁବିଧା ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଟେଣ୍ଡର ସର୍ତ୍ତରେ କେତେକ ପରିବର୍ତ୍ତନ କରି କର୍ପୋରେସନ୍ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୩୫ ଲକ୍ଷ ଟର୍ଣ୍ଣଓଭର ମଧ୍ୟମ ଉଦ୍ୟୋଗ ପ୍ରସଂଗରେ ସରକାର ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବର୍ଗର ସଂସ୍ଥା ପାଇଁ ରହିଥିବା ସୁବିଧା ପ୍ରତ୍ୟା‌ହାର କରାଯାଇଥିଲା। ଏ ନେଇ ୨୦୧୯, ନଭେମ୍ବର ୭ରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ଓ ବିନା କୌଣସି କାରଣରେ ଏପରି କରାଯାଇଥିବା ଦର୍ଶାଯାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଅନ୍ୟପକ୍ଷରେ କର୍ପୋରେସନ୍ ଟେଣ୍ଡର ସର୍ତ୍ତରେ ସଂଶୋଧନ କରି ପାରିବ ବୋଲି ମାମଲା ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାରେ ମେଡିକାଲ କର୍ପୋରେସନ୍ ସହିତ ଡାଇରୋକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ ପ୍ରମୋସନ୍ ଆଣ୍ଡ ମାର୍କେଟିଂ ଓଡ଼ିଶାକୁ ପକ୍ଷଭୁକ୍ତ କରାଯାଇଥିଲା। ମେଡିକାଲ କର୍ପୋରେସନ୍ ପକ୍ଷରୁ ଆଇନଜୀବୀ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।