ଭୁବନେଶ୍ବର: ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍-୨୦୨୩ (ଜାନୁଆରି ୧୩ରୁ ୨୯) ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ବକପ୍ର ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାରି ମଧ୍ୟରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ମାସେ ପାଇଁ ଭୁବନେଶ୍ୱରରେ ଜାରି ଥିବା ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି। ହକି ବିଶ୍ୱକପ୍ ପାଇଁ ବିଏମ୍ସି ଅଂଚଳରେ ଚାଲିଥିବା ନିର୍ମାଣ କାମ ଉପରେ ଏହି କଟକଣା ଲାଗୁ ହୋଇଛି।
ଆସନ୍ତା ଏକ ମାସ ପାଇଁ ସହରରେ ଆବଶ୍ୟକତା ନଥିଲେ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଯଥାରେ ନିର୍ମାଣ ନାଁରେ ରାସ୍ତାଘାଟ ଖୋଳିବା ଉପରେ ବିଏମ୍ସି କଟକଣା ଲଗାଇଛି। ଏନେଇ ସମସ୍ତ ଏଜେନ୍ସି ସହ ବିଏମ୍ସି ଆଲୋଚନା କରିଛି।
ଭୁବନେଶ୍ୱର ସହରର ସମସ୍ତ ଛୋଟ ବଡ଼ ମାର୍କେଟକୁ ସୁସଜ୍ଜିତ କରାଯାଉଛି। ସମସ୍ତ ମାର୍କେଟ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା ବିଏମ୍ସି କର୍ତ୍ତୃପକ୍ଷ ଏନେଇ ଆଲୋଚନା କରିଛନ୍ତି। ହକି ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରର ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱକୁ ହୋର୍ଡିଂ ମୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଏବଂ ଗୃହକୁ ଆଲୋକରେ ସୁସଜ୍ଜିତ କରିବାକୁ ଲୋକଙ୍କୁ ବିଏମ୍ସି ପକ୍ଷରୁ ଆହ୍ୱାନ କରାଯାଇଛି।