ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କରଠାରେ ଶୁକ୍ରବାର ହରିଶଙ୍କର ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏଥିପାଇଁ ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା ଓ ମନ୍ଦିର ପରିସରରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ପୂଜା ତଥା ଯଜ୍ଞରେ ଖପ୍ରାଖୋଲ ବିଡିଓ ସପତ୍ନୀକ କର୍ତ୍ତା ଥିଲେ। ୩ ଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ, ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଗନ୍ଧମାର୍ଦ୍ଦନ ପାହାଡ଼ରୁ ନିର୍ଗତ ଝରଣାରେ ଗାଧୋଇ ହରିଶଙ୍କରଙ୍କୁ ଦର୍ଶନ କରିଥିଲେ। ଏହା ପରେ ପରମ୍ପରା ଅନୁଯାୟୀ ହରିଶଙ୍କର ପଟରୁ ପାହାଡ଼ ଉପର ଦେଇ ଚାଲି ଚାଲି ନୃସିଂହନାଥ ପଟକୁ ଓ ନୃସିଂହନାଥ ପଟରୁ ହରିଶଙ୍କର ପଟକୁ ଯିବା ଆସିବା ଆରମ୍ଭ କରାଯାଇଥିଲା।
ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଏଠାକୁ ଆସି ଲୋକେ ଦୋକାନ ଲଗାଇଛନ୍ତି। ରାତିରେ ମନ୍ଦିର ପରିସରରେ କରାଯାଇଥିବା ପ୍ରଥମ ମଞ୍ଚରେ ଓଡ଼ିଶୀ ନୃତ୍ୟ, ଶ୍ରୀକ୍ଷେତ୍ର ଭଜନ ଓ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଦ୍ବିତୀୟ ମଞ୍ଚରେ ପୁରୀର ଗୋଟିପୁଅ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ଓ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା।
ଏଥିରେ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଉପସଭାପତି ମିଥିଳା ମାଝୀ, ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବ୍ଲକ୍ ଉପାଧ୍ୟକ୍ଷା ନିରୁପମା ପଟେଲ, ବେଲପଡ଼ା ବ୍ଲକ୍ ଅଧ୍ୟକ୍ଷା ଟୀନା କୁମ୍ଭାର, ପାଟଣାଗଡ଼ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ବାଳ, ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲ ବ୍ଲକ୍ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ମଞ୍ଚାସୀନ ଥିଲେ। ମହୋତ୍ସବରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ସମେତ ଖପ୍ରଖୋଲ ବିଡିଓ ରଶ୍ମି ରଂଜନ ରାଉତ, ବେଲପଡ଼ା ବିଡିଓ ଭିକ୍ଟର ସୋରେନ, ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଖପ୍ରାଖୋଲ ତହସିଲଦାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।