ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଶେଷ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୨୩ରୁ କାମ ଆରମ୍ଭ ହେବ। ନାଟମଣ୍ଡପ ମୁଖ୍ୟ ବିମ୍‌ରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍‌କୁ ଧରି ରଖିବା ଲାଗି ସପୋର୍ଟ ସିଷ୍ଟମ୍‌ ନିର୍ମିତ ହେବ। ବିମ୍‌ରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ସପୋର୍ଟ ଦିଆଯିବ। ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫେବ୍ରିକେସନ୍‌ କାର୍ଯ୍ୟ ଚାଲିବ। ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ନୀତିକାନ୍ତିରେ କିଛିଟା ପରିବର୍ତ୍ତନ କରାଯାଇଛି। ଆଜି ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଶ୍ରୀମନ୍ଦିରରେ ମରାମତି କାମ ପାଇଁ ନୀତି ସବ୍‌ କମିଟି ପକ୍ଷରୁ ପରିବର୍ତ୍ତିତ ସ୍ବତନ୍ତ୍ର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି। ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ରାତି ୨ଟାରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ନସରିଲେ କାମ କରିବା ସମ୍ଭବ ହେବନାହିଁ। ଏ ଦୃଷ୍ଟିରୁ ଭୋଗମଣ୍ଡପ କାମ ଶୀଘ୍ର ସାରିବା ଲାଗି ଶୀଘ୍ର ନୀତିକାନ୍ତି ଆରମ୍ଭ ହେବ। ରାତି ୧୧ଟାରେ ପହୁଡ଼ ପଡ଼ିବ। ତେବେ ମଧ୍ୟାହ୍ନ ୧ଟାରୁ ୭ଟା ପର୍ଯ୍ୟନ୍ତ ଫେବ୍ରିକେସନ୍‌ କାମ ଚାଲିଲେ ବି ଭକ୍ତମାନେ ଦର୍ଶନ ପାଇଁ ଯାଇପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ନାଟମଣ୍ଡପ ମରାମତି କାର୍ଯ୍ୟ ଏପ୍ରିଲ ସୁଦ୍ଧା ସାରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ‌୍ଆଇ)ଯେପରି ଏହି କାର୍ଯ୍ୟ ସାରିବ ସେନେଇ ଆଜି ଆଲୋଚନା ପରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଛତିଶା ନିଯୋଗ ଓ ଅନ୍ୟ ସେବାୟତମାନେ ସମର୍ଥନ ଜଣାଇଛନ୍ତି। ସେହି ଅନୁଯାୟୀ ୨୩ରୁ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡ. ଡିବି ଗଡ଼ନାୟକ କହିଛନ୍ତି, ନାଟମଣ୍ଡପର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମାପନ ହୋଇଛି। ନାଟମଣ୍ଡପ ଛାତରେ ସ୍ଥାନାନ୍ତର ହୋଇଥିବା ପଥରକୁ ଯଥାସ୍ଥାନରେ ସ୍ଥାନିତ କରାଯାଇଛି। ଲୁହା ସ୍ତମ୍ଭକୁ ୱେଦର ଟ୍ରିଟ୍‌ମେଣ୍ଟ କରାଯାଇଛି। ବର୍ଷା ଦିନେ ପାଣି ଗଳୁଥିବା ସ୍ଥାନର ମରାମତି ହୋଇଛି। ଆଇଆଇଟି ଚେନ୍ନାଇ ପକ୍ଷରୁ ବିମ୍‌ ମରାମତି ପାଇଁ ହୋଇଥିବା ଡିଜାଇନ୍‌ ଅନୁମୋଦନ ପାଇସାରିଛି।