ବଲାଙ୍ଗୀର/ କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଏକ ଗୋଦାମରେ ବେଆଇନ ଗଚ୍ଛିତ ଥିବା ୬୪୦ ବସ୍ତା ଚାଉଳ ଜବତ ହୋଇଛି। ତୁରେକେଲା ବ୍ଲକ୍ ଯୋଗାଣ ଅଧିକାରୀଙ୍କ ସହ ଏକ ଟିମ୍ ଆଜି କଣ୍ଟାବାଞ୍ଜି-ଗୁଡ଼ିଘାଟ ରାସ୍ତାରେ ଥିବା ଏହି ଗୋଦାମ ଉପରେ ଚଢ଼ାଉ କରିଥିଲେ। ଏହି ଗୋଦାମର ମାଲିକ ହେଉଛନ୍ତି ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆଲିସାନ୍ ସିନେମା ହଲ୍ର ମାଲିକ ପବନ ଅଗ୍ରୱାଲ। ତାଙ୍କ ପୁଅ ମୋହିତଙ୍କ ନାମରେ ଏହା ରହିଛି। ପବନଙ୍କ ଆଉ ଜଣେ ପୁଅ ହେଲେ ସୁନ୍ଦର। ଯିଏକି କଣ୍ଟାବାଞ୍ଜି ସହରର ଜଣେ ଚାଉଳ ବ୍ୟବସାୟୀ।
ଯୋଗାଣ ଅଧିକାରୀ ସନାତନ ମାଝୀ ଦେଇଥିବା ତଥ୍ୟ ଅନୁସାରେ ଗୋଦାମରେ ପ୍ରାୟ ୬୪୦ ବସ୍ତା ଚାଉଳ ରହିଛି। ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି। ଚଢ଼ାଉ ବେଳେ ଗୋଦାମ ଭିତରେ ଏକ ଚାଉଳ ବୋଝେଇ ଟ୍ରକ୍ ନଜରକୁ ଆସିଥିଲା। ସେହିପରି ଗୋଦାମ ଗୃହରେ ଚାଉଳ ସମେତ ବିଭିନ୍ନ ପ୍ରକାରର ଶତାଧିକ ଡାଲି ବସ୍ତା, ତେନ୍ତୁଳି, ଚିନାବାଦାମ, ଗହମ, ଛତୁଆ ଓ ମାଣ୍ଡିଆ ଗଚ୍ଛିତ ରହିଛି। ଏଠାରେ ଛତୁଆ ଥିବା ଜଣାପଡ଼ିବା ପରେ ତୁରେକେଲା ସିଡିପିଓ ମାଧୁରୀ ହୋତା ପହଞ୍ଚି ତଦନ୍ତ କରିଛନ୍ତି।