କଟକ: କଟକ ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମହାନଦୀ କୂଳରେ ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ନୂଆ ରୂପ ଦିଆଯାଇଥିଲା। ୨୦୨୩ ସେପ୍ଟେମ୍ବର ୧୬ରେ ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନର ବର୍ଷେ ନପୂରୁଣୁ ଏହାର ପ୍ରବେଶ ପଥ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କ୍ଲବ୍‌କୁ ଯିବା ପାଇଁ ନିର୍ମାଣ ହୋଇଥିବା ପେଭର୍‌ ବ୍ଲକ୍‌ ରାସ୍ତାର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁଁ ପର୍ଯ୍ୟଟକ ଭିତରକୁ ଯିବାକୁ ବି ପଛଘୁଞ୍ଚା ଦେଉଛନ୍ତି। ବିଶେଷ କରି ଟିକିଏ ବର୍ଷାରେ ୮୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ରାସ୍ତାରେ ପାଣି ଜମି ରହିବା ସହ ପେଭର୍‌ ବ୍ଲକ୍‌ ଉଠି ଖାଲ ହୋଇଯାଇଛି। ବର୍ଷକ ମଧ୍ୟରେ ରାସ୍ତା ଖରାପ ହେବାରୁ ଏହାର ମାନ ଉପରେ ପ୍ରଶ୍ନ ଉଠୁଛି।

Advertisment

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସିଲଭର ସିଟି ବୋଟ୍‌ କ୍ଲବ୍‌କୁ ନୂଆ ରୂପ ଦିଆଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ୯.୭୨ କୋଟି ଟଙ୍କାରେ ଏଠାରେ ଓପନ୍‌ ଏୟାର ଥିଏଟ୍‌ର, କାଫେଟେରିଆ, ଫୁଡ୍‌ କୋର୍ଟ, ଆଉଟ୍‌ସାଇଡ୍‌ ସିଟିଂ, ‌ଗ୍ଲାସ୍‌ ଡେକ୍‌(କାଚ ମେଜ), ପିଲାଙ୍କ ପାଇଁ ମିନିପାର୍କ, ଫାଉଣ୍ଟେନ୍‌, ‌ଶୌଚାଳୟ ପରି ବିଭିନ୍ନ ନିର୍ମାଣ କରାଯାଥିଲା। ଏହାସହ ମହାନଦୀ ରିଂବନ୍ଧ ରାସ୍ତାରୁ ବୋଟ୍‌ କ୍ଲବ୍‌ ଗେଟ୍‌ ପର୍ଯ୍ୟନ୍ତ ୯ଶହ ମିଟର ପେଭର୍‌ ବ୍ଲକ୍‌ ରାସ୍ତା ପୌରନିଗମ ତରଫରୁ ଟେଣ୍ଡର କରାଯାଇ ନିର୍ମାଣ କରାଯାଇଥିଲା। ୮୦ ଲକ୍ଷ ଟଙ୍କାରେ ଉକ୍ତ ରାସ୍ତା କାମ ହୋଇଥିଲା। ‌ପେଭର୍‌ ବ୍ଲକ ରାସ୍ତା ସହ ରାସ୍ତାପାର୍ଶ୍ବରେ ଫୁଟ୍‌ପାଥ୍‌ ନିର୍ମାଣ, ଆଲୋକୀକରଣ ଓ ବିଭିନ୍ନ ଡିଜାଇନ୍ ଗଛ ମଧ୍ୟ ଏଥିରେ ଲଗାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ରାସ୍ତାର ପ୍ରବେଶ ପଥରେ ପେଭର୍‌ ବ୍ଲକ ଉଠିଯାଇ ଖାଲ ସୃଷ୍ଟି ହୋଇଛି। ଟିକିଏ ବର୍ଷାରେ ଏଠାରେ ପାଣି ଜମି ରହୁଛି। ମାତ୍ର ୯ଶହ ମିଟରର ପେଭର୍‌ ବ୍ଲକ୍‌ ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିବା, କୁଢ କୁଢ ଆବର୍ଜନା ଗଦା ହେବା ଯୋଗୁଁ ବୋଟ୍‌ କ୍ଲବ୍‌କୁ ପର୍ଯ୍ୟଟକ ମୁହଁ ମୋଡୁଛନ୍ତି। ଏଭଳି ନିମ୍ନମାନର କାମର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ଉଠୁଛି।