ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି ଗୁଗୁଲ !
ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ ରଖିଛି ନଜର । ଅଧିକାଂଶ ସମୟରେ ଆପଣମାନେ ନିଜ ମୋବାଇଲର ଲୋକେସନ ବନ୍ଦ ରଖନ୍ତି କିନ୍ତୁ ସେହି ସମୟରେ ବି ଗୁଗୁଲ ଆପଣଙ୍କ ଉପରେ ପୂରା ନଜର ରଖିଛି । ତେବେ ଏମିତି ଖବର ଗୁଗୁଲର ଇଂଜିନିୟରମାନେ ଦେଇଛନ୍ତି । ଇଂଜିନିୟରମାନେ ସ୍ୱୀକାର କରିଛନ୍ତି ଯେ, ଗୁଗୁଲର ଲୋକେସନ ଆପ୍ଲିକେସନ ଆପର ଗୋପନୀୟତା ସେଟିଂରେ କିଛି ତ୍ରୁଟି ରହିପାରେ ତେଣୁ ଲୋକେସନ ବନ୍ଦ ହେବା ପରେ ବି ଗୁଗୁଲ ଆପଣଙ୍କୁ ଟ୍ରାକ କରିପାରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକେସନ ବନ୍ଦ ରହିବା ପରେ ବି ଲୋକେସନ ଜଣାପଡୁଥିବାରୁ ଆରିଜୋନା ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ତିନିମାସ ପୂର୍ବରୁ ଏକ ଆବେଦନ କରାଯାଇଥିଲା ଯେଉଁଥିରେ ଶୁଣାଣି ସମୟରେ କୋର୍ଟରେ ଦାଖଲ ହୋଇଥିବା ସମସ୍ତ ଦଲିଲ ଖୋଲାଯାଇଥିଲା । ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ଗୁଗୁଲର ତଥ୍ୟ ସଂଗ୍ରହ ପ୍ରକ୍ରିୟା ରାଜ୍ୟର ଗ୍ରାହକ ଠକେଇ ଆଇନର ଉଲଙ୍ଘନ କରିଛି । ୨୦୧୮ ମସିହାରେ ମଧ୍ୟ ଏପରି ମାମଲା ରୁଜୁ ହୋଇଥିଲା । ମାମଲା ହେବା ପରେ ଗୁଗୁଲ ଜାଣିଥିଲା ଯେ, ସେ ଏକ ବଡ ଅସୁବିଧାରେ ପଡିବାକୁ ଯାଉଛି । କାରଣ ଯେଉଁ ସମୟରେ ଉପଭୋକ୍ତାମାନେ ନିଜର ଲୋକେସନକୁ ବନ୍ଦ କରୁଛନ୍ତି ଠିକ୍ ସେହି ସମୟରେ ଗୁଗୁଲ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛି । ଗୁଗୁଲର ଆଭ୍ୟନ୍ତରୀଣ ଇମେଲରୁ ଏପରି ତଥ୍ୟର ପ୍ରମାଣ ମିଳିଛି ।
ତେବେ କୋର୍ଟରେ ମାମଲା ରୁଜୁ ହେବା ପରେ ଗୁଗୁଲର କର୍ମଚାରୀ ମଧ୍ୟ ହାଜର ହୋଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଲୋକେସନ ବନ୍ଦ ହେବା ପରେ ବି ଗୁଗୁଲ ଲୋକେସନ ଦେଉଛି ତାହାକୁ ନେଇ ଶୁଣାଣି ହୋଇଥିଲା । ତେବେ ଏହାରି ମଧ୍ୟରେ କମ୍ପାନୀର କିଛି ଇଂଜିନିୟର କମ୍ପାନୀକୁ ଭର୍ତ୍ସନା କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କର୍ମଚାରୀଙ୍କ କହିବା ଅନୁସାରେ, ଆପ୍ଲିକେସନର ସେଟିଂ କେମିତି କାମ କରୁଛି ଓ କାହା ଦ୍ୱାରା କାମ କରୁଛି ତାହା ଜାଣିବା ନିହାତି ଦରକାର । କାରଣ ଏପରି କାର୍ଯ୍ୟ ପାଇଁ କମ୍ପାନୀ ଉପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଜଣେ କର୍ମଚାରୀଙ୍କ କହିବା ଅନୁସାରେ ଯଦି ଜଣେ ନିଜର ଉପସ୍ଥିତି ସମ୍ପର୍କରେ କାହାକୁ ଜଣାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତେବେ କୌଣସି ପରିସ୍ଥିତିରେ ଏହାକୁ ସାର୍ବଜନୀନ କରିବା ଆଦୌ ଠିକ ନୁହେଁ । କୋଟି କୋଟି ଲୋକ କମ୍ପାନୀ ଉପରେ ବିଶ୍ୱାସ ରଖନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କମ୍ପାନୀର ଆଭ୍ୟନ୍ତରୀଣ ମେଲ ସାର୍ବଜନୀନ ହେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ।
୨ ବର୍ଷ ପୂର୍ବେ ଅନୁରୂପ ଖବର ଆସିଥିବା କାରଣରୁ ଗୁଗୁଲ ଲୋକେସନ ବ୍ୟବହାରକାରୀଙ୍କ ଲୋକେସନ ଲୁଚାଇବା ପାଇଁ ଗୋପନୀୟତା ସେଟିଂରେ ପରିବର୍ତନ କରିଥିଲା । ତେବେ ଏହାରି ମଧ୍ୟରେ ଗୁଗୁଲ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଜଣେ ଉପଭୋକ୍ତାଙ୍କ ବିନା ଅନୁମତିରେ ସେମାନଙ୍କର ଲୋକେସନ ଉପରେ କମ୍ପାନୀ ନଜର ରଖିଛି ତାହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଏପରିକି ଏହା କମ୍ପାନୀକୁ ମହଙ୍ଗା ପଡିପାରେ ବୋଲି କୁହାଯାଉଛି ।