ଦୁର୍ଗାପୂଜାରେ ପଶ୍ଚିମବଙ୍ଗକୁ କେନ୍ଦ୍ରସରକାରଙ୍କ ଭେଟି: କୋଲକତାରେ ଆରମ୍ଭ ହେଲା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ସେବା

କୋଲକାତା: କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି । ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କୋଲକତା ପୂର୍ବ-ପଶ୍ଚିମ କରିଡର ଫୁଲବାଗାନ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ । ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି । ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ କୂଳ ସଲ୍ଟଲେକ୍ ସିଟି ଯାଏ ଏହି କରିଡର ଯୋଡି ହୋଇଛି ।

ଫୁଲବାଗାନ ହେଉଛି ର୍ପୂବ-ପଶ୍ଚିମ ମେଟ୍ରୋ କରିଡରରେ ଆରମ୍ଭ ହୋଇଥିଲା ପ୍ରଥମ ଭୂତଳ ଷ୍ଟେସନ । ଏହି କରିଡରରେ ମେଟ୍ରୋ ଟ୍ରେନ ପ୍ରଥମେ ହୁଗୁଳୀ ନଦୀର ଉଚ୍ଚ ଜମି ଉପରୁ ଓହ୍ଲାଇ ୱାଟର ଟନେଲ୍ ଦେଇ ଯାତାୟତ କରିବ । କୋଲକତା ମେଟ୍ରୋରେ ଉତ୍ତର- ଦକ୍ଷିଣ ମେନ୍ ଲାଇନରେ ଏମଜି ରୋଡ ମେଟ୍ରୋ ଷ୍ଟେସନ ଶେଷ ଭୂତଳ ଷ୍ଟେସନ ଥିଲା । ଯାହା ସେପ୍ଟେମ୍ବର ୧୯୫୫ ରେ ଆରମ୍ଭ ହୋଇଥିଲା । ତା’ପରେ ଯେତେ ମେଟ୍ରୋ ଷ୍ଟେସନ ହୋଇଛି ତାହା ମାଟି ଉପରେ ହୋଇଛି । ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି ଏହା କୋଲକତାବାସୀଙ୍କ ପାଇଁ ଦୁର୍ଗା ପୂଜାରେ କେନ୍ଦ୍ରସରକାରଙ୍କ ତରଫରୁ ଭେଟି । ସେ କହିଥିଲେ କି ୨୦୩୫ ସୁଦ୍ଧା କୋଲକତା ଇଷ୍ଟ-ୱେଷ୍ଟ ମେଟ୍ରୋ କରିଡରରେ ପ୍ରତିଦିନ ୧୦ ଲକ୍ଷ ଲୋକ ଯାତାୟତ କରିବେ । ଏହାସହ ଟ୍ରାଫିକ୍ ଜାମରୁ ଲୋକମାନେ ନିସ୍ତାର ପାଇବେ । ଅନ୍ୟପଟେ ଏତିକି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୨୦ ମିନିଟ୍ ସମୟ ଲାଗୁଥିବା ବେଳେ ଏହା ଦ୍ୱାରା ଲୋକେ ଗୋଟିଏ ମିନିଟରେ ଅତିକ୍ରମ କରିପାରିବେ ।
ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ କୋଲକତା ଇଷ୍ଟ-ୱେଷ୍ଟ କରିଡର ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚକୁ ମଞ୍ଜୁରୀ ଦେଇଥିଲେ । ସମ୍ପୂର୍ଣ୍ଣ ଭାବେ ଅତ୍ୟାଧିନିକ ଡିଜାଇନ ହୋଇଥିବା କରିଡରରେ ୮.୭୫୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏକ ଆକଳନ ମୁତାବକ ଏହି ପ୍ରକଳ୍ପ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ସମ୍ବନ୍ଧିତ ଖବର